ନୂଆଦିଲ୍ଲୀ: ମା' ହେଲେ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ତଥା TMC ସାଂସଦ ନୁସରତ ଜାହାଁ । ସେ ଏକ ପୁତ୍ର ସନ୍ତାନର ମାଆ ହୋଇଛନ୍ତି । ବର୍ତ୍ତମାନ ଉଭୟ ମାଆ ଓ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ିଛି । କିଛି ସମୟ ପୂର୍ବରୁ ନୁସରତ ଏକ ଫଟୋ ସେୟାର କରି ଡେଲିଭରୀ ସମ୍ପର୍କରେ ସୂଚନା ଦେଇଥିଲେ । ନୁସରତ ଡ଼େଲିଭରି ପୂର୍ବରୁ ସେୟାର କରିଥିବା ଫଟୋରେ 'FAITH OVER FEAR' କ୍ୟାପସନରେ ଲେଖିଥିଲେ ।
ଜୁନ ମାସରେ ଆସିଥିଲା ନୁସରତଙ୍କ ଗର୍ଭବତୀ ଖବର:-
ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ଗର୍ଭବତୀ ଖବର ଜୁନ ମାସରେ ଆସିଥିଲା । ଏକ ଫଟୋରେ ନୁସରତଙ୍କ ବେବି ବମ୍ପ ଦେଖାଯିବା ପରେ ଏ ସମ୍ପର୍କରେ ଚର୍ଚ୍ଚ ଜୋର ଧରିଥିଲା । ଏହାପରେ ନୁସରତ ଓ ସ୍ବାମୀ ନିଖିଲ ଜୈନଙ୍କ ସମ୍ପର୍କକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ନିଖିଲଙ୍କୁ ନୁସରତଙ୍କ ଗର୍ଭବତୀ ସମ୍ପର୍କରେ କିଛି ଜଣାନାହିଁ ବୋଲି ସେ କହିଥିଲେ । ଉଭୟ ଅଲଗା ରହୁଛନ୍ତି ବୋଲି ନିଖିଲ କହିଥିଲେ । ନିଖିଲଙ୍କ ଏହି ବୟାନ ପରେ ବଙ୍ଗଳା ଆକ୍ଟର ୟଶ୍ ଦାସ ଗୁପ୍ତାଙ୍କ ସହିତ ନୁସରତଙ୍କ ସମ୍ପର୍କକୁ ନେଇ ମଧ୍ୟ ହୋଇଥିଲା ଚର୍ଚ୍ଚା ।
ନିଖିଲଙ୍କ ସହିତ ନଥିଲା ଉତ୍ତମ ସମ୍ପର୍କ:-
ନିଖିଲଙ୍କ ଏହି ବୟାନ ପରେ ମୁହଁ ଖୋଲିଥିଲେ ନୁସରତ । ସ୍ବାମୀଙ୍କ ସହିତ ତାଙ୍କର ଉତ୍ତମ ସମ୍ପର୍କ ନଥିଲା ବୋଲି ସେ କହିଥିଲେ । ତାଙ୍କ ବିବାହ ବେଆଇନ ଓ ଅବୈଧ ବୋଲି କହିଥିଲେ ନୁସରତ । ନୁସରତ ଓ ନିଖିଲ ଜୈନଙ୍କ ବିବାହ ତୁର୍କୀର ଆଇନ ଅନୁଯାୟୀ ହୋଇଥିଲା । ଯାହାକି ଏହି ବିବାହ ଭାରତୀୟ ଆଇନ ଅନୁଯାୟୀ ବୈଧ ନୁହେଁ । ଏଣୁ ଛାଡପତ୍ର କଥା ଉଠୁନାହିଁ ବୋଲି ନୁସରତ କହିଥିଲେ । ଏଥିଲାଗି ସେ ସ୍ବାମୀଙ୍କଠାରୁ ଅଲଗା ହୋଇଥିଲେ । ସେପଟେ ବହୁ ଦିନ ଧରି ଉଭୟ ଏକାଠି ରହୁନଥିବାରୁ ନୁସରତଙ୍କ ପିଲା ସମ୍ପର୍କରେ ନିଖିଲ କିଛି ଜାଣିନାହାନ୍ତି ବୋଲି କହିଥିଲେ । ନୁସରତ ନିଖିଲଙ୍କ ଉପରେ ଅଭିଯୋଗ ଆଣିଥିଲେ ।
୨୦୧୯ରେ ନିଖିଲଙ୍କୁ କରିଥିଲେ ବିବାହ:-
ନୁସରତ ୨୦୧୯ ମସିହା ଜୁନ ୧୯ ତାରିଖରେ ନିଖିଲ ଜୈନଙ୍କୁ ତୁର୍କୀରେ ବିବାହ କରିଥିଲେ । ଉଭୟଙ୍କ ବିବାହ ହିନ୍ଦୁ ଓ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ହୋଇଥିଲା । ଏହାପରେ ବାହାଘର ରିସେପ୍ସନ ସେମାନେ କୋଲକାତାର ITC ରୟାଲ ହୋଟେଲରେ ଦେଇଥିଲେ ।
ଡ଼େଲିଭରୀ ବେଳେ ସାଥୀରେ ଥିଲେ ପାର୍ଟନର ୟଶ ଦାସଗୁପ୍ତା: -
ନୁସରତଙ୍କ ପାର୍ଟନର ଅଭିନେତା ୟଶ ଦାସଗୁପ୍ତା ଡ଼େଲିଭରୀ ସମୟରେ ନୁସରତଙ୍କ ଇଚ୍ଛାନୁଯାୟୀ ଅପରେସନ ଥିଏଟରରେ ଥିଲେ ବୋଲି ସୂଚନା ମିଳିଛି । ଦାଶଗୁପ୍ତା ହସ୍ପିଟାଲରେ ରହି ନୁସରତଙ୍କ ଭଲ ଯତ୍ନ ନେଉଛନ୍ତି । ଅଭିନେତ୍ରୀ ତଥା ସାଂସଦଙ୍କ ଇଚ୍ଛା ଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ୟଶଙ୍କୁ ଅପରେସନ ଥିଏଟରରେ ରହିବା ପାଇଁ ଅନୁମତି ଦେଇଥିଲେ ବୋଲି ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ