ମୁମ୍ବାଇ: 69 ବର୍ଷରେ ନାସିରୁଦ୍ଦିନ ଶାହ । ତାଙ୍କର ଜନ୍ମ ୨୦ ଜୁଲାଇ ୧୯୫୦ ମସିହା ଉତ୍ତରପ୍ରଦେଶର ବାରାବଙ୍କୀରେ ହୋଇଥିଲା । ୧୯୮୦ ମସିହାରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ନାସିରୁଦ୍ଦିନ ନିଜ ଅଭିନୟରେ ସମସ୍ତଙ୍କୁ ଆକୃଷ୍ଟ କରିଥାଆନ୍ତି । ଏଥିପାଇଁ ତାଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ତେବେ ତାଙ୍କ ଜନ୍ମଦିନରେ ଆମେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଆପଣଙ୍କୁ ଅବଗତ କରାଇବୁ ।
ନାସିରୁଦ୍ଦିନ ଶାହ ୨୦ ବର୍ଷ ବୟସରେ ତାଙ୍କ ଠାରୁ ୧୫ ବର୍ଷ ବଡ ମନାରା ସୀକାରୀଙ୍କୁ ବିବାହ କରିଥିଲେ । ମନାରାଙ୍କୁ ପରବୀନା ମୁରାଦ ନାମରେ ମଧ୍ୟ ଜଣାଯାଏ । ଯେତେବେଳେ ନାସିରୁଦ୍ଦିନ ଘର ଲୋକଙ୍କୁ ମନାରାଙ୍କୁ ବାହା ହେବା ପାଇଁ କହିଥିଲେ ସେତେବେଳେ ତାଙ୍କ ବାପା, ମାଆ କ୍ରୋଧିତ ହୋଇଥିଲେ । କାରଣ ମନାରା ନାସିରଙ୍କ ଠାରୁ ବଡ ଥିଲେ । କେବଳ ସେତିକି ନୁହେଁ, ସେ ପୂର୍ବରୁ ବିବାହ ମଧ୍ୟ କରିଥିଲେ । ଏହାସହ ତାଙ୍କର ଗୋଟେ ସନ୍ତାନ ମଧ୍ୟ ଥିଲା।
ତେବେ ପରିବାର ଲୋକଙ୍କ ବାରଣ କରିବା ସତ୍ତ୍ବେ ନାସିରୁଦ୍ଦିନ ଏହାକୁ ଖାତିର ନକିର ମନାରାଙ୍କୁ ବିବାହ କରିଥିଲେ । ବିବାହର ଏକ ବର୍ଷ ପରେ ଦୁହିଁଙ୍କର ଏକ ଝିଅ ହେଲା । ଯାହାର ନାମ ହୀବା ଶାହ । ହୀବାଙ୍କୁ ଯେତେବେଳେ ଏକ ବର୍ଷ ହୋଇଥିଲା ନାସିରୁଦ୍ଦିନ ଓ ମନାରାଙ୍କ ମଧ୍ୟରେ ବାଦବିବାଦ ଆରମ୍ଭ ହେଲା ଏବଂ ସେମାନେ ଅଲଗା ଅଲଗା ରହିବାକୁ ଲାଗିଲେ । ଶେଷରେ ୧୯୮୨ରେ ନାସିରୁଦ୍ଦିନ ଏବଂ ମନାରାଙ୍କର ଛାଡପତ୍ର ହୋଇଥିଲା ।
ଏହାର କିଛି ବର୍ଷ ପରେ ମନାରା ହୀବାକୁ ନେଇ ଇରାନ ପଳେଇଲେ । ହୀବା ଯେତେବେଳେ ବଡ ହେଲେ ସେ ତାଙ୍କ ବାପାଙ୍କ ପାଖକୁ ଚାଲି ଆସିଲେ । ସେଠାରେ ସେ ତାଙ୍କ ବାପା, ସାବତ ମାଆ ଏବଂ ସାବତ ଭାଇ ଓ ଭଉଣୀ ସହିତ ରହିବାକୁ ଲାଗିଲେ । ନସୀର ପତ୍ନୀଙ୍କ ଠାରୁ ଅଲଗା ହେବା ପରେ ନେସନାଲ ସ୍କୁଲ ଅଫ ଡ୍ରାମାରେ ଆକ୍ଟିଙ୍ଗର କୋର୍ସ କଲେ ।
୧୯୭୫ରେ ତାଙ୍କର ଭେଟ ରତ୍ନା ପାଠକଙ୍କ ସହିତ ହେଲା । ରତ୍ନା ସେହି ସମୟରେ କଲେଜରେ ପାଠ ପଢ଼ୁଥିଲେ । ଦୁହେଁ ୧୯୮୨ରେ ବିବାହ କରିଥିଲେ । ଏହାପରେ ନାସିର ଏବଂ ରତ୍ନାଙ୍କର ଦୁଇଟି ପୁତ୍ର ସନ୍ତାନ ହୋଇଥିଲା ।