ବଲାଙ୍ଗୀର: ବଡ ପରଦାରେ ରିଲିଜ ହୋଇଛି ସମ୍ବଲପୁରୀ ବାୟୋପିକ ଚଳଚ୍ଚିତ୍ର 'ମୁଇଁ ଦିୱାନା ତୁଇ ଦିୱାନୀ' । ଏହି ସିନେମା ଏକ ସତ୍ୟ ପ୍ରେମ କାହାଣୀ ଉପରେ ଆଧାରିତ । ଯେଉଁଥିରେ ୧୯୯୦ ଦଶକର ପ୍ରେମ କାହାଣୀକୁ ନେଇ ତିଆରି ହୋଇଛି ଚଳଚ୍ଚିତ୍ର । ଏହି ଅବସରରେ ବଲାଙ୍ଗୀର ରମାଇ ହଲରେ ଏହି ଚଳଚ୍ଚିତ୍ର ପ୍ରୀମିୟର ରଖାଯାଇଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଚଳଚ୍ଚିତ୍ରର ସବୁ କଲାକାର ତଥା ନିର୍ମାତା ଓ ନିର୍ଦ୍ଦେଶକ । ଏହାସହ ସେଠାରେ ବହୁ ଦର୍ଶକଙ୍କ ଭିଡ ମଧ୍ୟ ଲାଗିଥିଲା । ଏହି ଚଳଚ୍ଚିତ୍ର ଆଗକୁ ଭଲ ବ୍ୟବସାୟ କରିବା ସହ ଦର୍ଶକଙ୍କୁ ଏହାର କାହାଣୀ, ମ୍ୟୁଜିକ ପସନ୍ଦ ଆସିବ ବୋଲି ନିର୍ମାତା ଓ କଳାକାର ଆଶା କରୁଛନ୍ତି ।
ଚଳଚ୍ଚିତ୍ରରେ ମୁଖ୍ୟ ଭୁମିକାରେ ରିଶି ଓ ଶ୍ୟାମ ନଜର ଆସିଥିବା ବେଳେ ଆଉ ଦୁଇ ଅଭିନେତ୍ରୀ କବିତା ଓ ଅଞ୍ଜୁ ମଧ୍ୟ ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି । ଏହା ସହ ଏହି ଚଳଚ୍ଚିତ୍ରରେ ଓଡି଼ଆ ସିନେ ଜଗତର ଆହୁରି ଜଣା ଶୁଣା ଅଭିନେତା ଥିବା ବେଳେ ଏହାର ପ୍ରଯୋଜନା କରିଛନ୍ତି ନବ ମହନ୍ତ ଓ ନିର୍ଦ୍ଦେଶନା ଦେଇଛନ୍ତି ମାନ ଭଞ୍ଜନ ନାୟକ ।
ସେହିପରି ଗୋପାଲ ପ୍ରଧାନ ଏହି ସିନେମାରେ କ୍ୟାମେରାମ୍ୟାନ ଦାୟିତ୍ବ ତୁଲାଇଛନ୍ତି । ତେବେ ସିନେମାଟି ଦୁଇ ଘନିଷ୍ଠ ସାଙ୍ଗ ଓ ତାଙ୍କ ପ୍ରେମ କାହାଣୀର ସଂର୍ଘଷକୁ ନେଇ ତିଆରି ହୋଇଛି । ଯାହାକୁ ନେଇ ସବୁ ଅଭିନେତା ଖୁବ ଆଶାବାଦୀ ଅଛନ୍ତି ।
ସମ୍ବଲପୁରୀ ସିନେମା 'ମୁଇଁ ଦିୱାନା ତୁଇ ଦିୱାନୀ' ଗୋଟିଏ ଲୋ ବଜେଟ ଚଳଚ୍ଚିତ୍ର ହୋଇଥିଲେ ମଧ୍ୟ ଭଲ ସଙ୍ଗିତ ସାଙ୍ଗକୁ ଜବରଦସ୍ତ କାହାଣୀ ଓ ଅଭିନେତାଙ୍କ ଆକର୍ଷଣୀୟ ଅଭିନୟ ଦର୍ଶକଙ୍କୁ କେତେ ମୁଗ୍ଧ କରୁଛି ତାହା ଦେଖିବାକୁ ବାକି ରହିଲା ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ