ବେଙ୍ଗାଲୁରୁ: ଆଜି ପଞ୍ଚଭୂତରେ ବିଲୀନ ହେବେ ପାୱାର ଷ୍ଟାର । କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ଆଜି ଶେଷକୃତ୍ୟ ସମ୍ପନ୍ନ ହେବ । ଶନିବାର ତାଙ୍କ ଅନ୍ତିମ ସଂସ୍କାର କରାଯିବାର ଥିଲା । ହେଲେ ଆମେରିକାରେ ରହୁଥିବା ତାଙ୍କ ଝିଅ ବିଳମ୍ବରେ ପହଞ୍ଚିବାରୁ ଆଜି ବେଙ୍ଗାଲୁରୁ ସ୍ଥିତ କାନ୍ତିରବା ଷ୍ଟାଡିୟମ ଠାରେ ଶେଷ ରୀତି ସମ୍ପନ୍ନ କରାଯିବ । ଗତକାଲି(ଶନିବାର) ସନ୍ଧ୍ୟାରେ ପୁନିତଙ୍କ ଝିଅ ଧ୍ରୁତି ଆମେରିକାରୁ ଫେରି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି ।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁତିନ ରାଜକୁମାରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯିବ । ବର୍ତ୍ତମାନ କାନ୍ତିରବା ଷ୍ଟୁଡିଓରେ ତାଙ୍କ ମରଶରୀର ରଖାଯାଇଛି । ପୁନିତଙ୍କ ଶେଷ ଦର୍ଶନ ପାଇଁ ଷ୍ଟାଡିୟମରେ ହଜାର ହଜାର ଲୋକଙ୍କ ସମାଗମ ହେଉଛି । ସୁରକ୍ଷା ଦୃଷ୍ଟିରୁ ସେଠାରେ ବହୁସଂଖ୍ୟକ ପୋଲିସ କର୍ମୀ ଏବଂ ୪୦ କେଏସଆରପି ପ୍ଲାଟୁନ ମୁତୟନ ହୋଇଛନ୍ତି ।
ପୁନିତ ରାଜକୁମାରଙ୍କ ପିତା ଡକ୍ଟର ରାଜକୁମାର ସାଉଥ ସିନେମାର ସୁପରଷ୍ଟାର ଥିଲେ । ପୁନିତ ୧୯୭୬ ମସିହାରେ ଫିଲ୍ମ ପ୍ରେମଦା କନିକ ଜରିଆରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ବହୁତ ଗୁଡିଏ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତେବେ ଏହି ପାୱାରଷ୍ଟାରଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଶନିବାର ତାଙ୍କର ଚକ୍ଷୁଦାନ କରାଯାଇଛି । ବେଙ୍ଗାଲୁରୁ ରାଜାଜି ନଗର ସ୍ଥିତ ଡକ୍ଟର ରାଜକୁମାର ଆଇ ବ୍ୟାଙ୍କକୁ ପୁନିତଙ୍କ ଚକ୍ଷୁ ଦାନ କରାଯାଇଛି ।