ଭୁବନେଶ୍ବର: କୋରୋନା କଟକଣାର ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟାଇ ଖୁବଶିଘ୍ର ରୂପେଲି ପରଦାକୁ ଆସିବାକୁ ଯାଉଛି ଆକ୍ସନ, ଥ୍ରିଲର ଓ ରୋମାନ୍ସରେ ଭରପୁର ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ହାପି ଏଣ୍ଡିଙ୍ଗ୍’। ଋତୁପ୍ରିୟା ପ୍ରଡକ୍ସନ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଏସଏମ ପ୍ରଡକ୍ସନ ଓ ଉର୍ବସୀ ଆର୍ଟ ବ୍ୟାନରରେ ନିର୍ମିତ ତୁଷାର ସିହ୍ମାଙ୍କ ନିର୍ଦ୍ଦେଶନାରେ ‘ହାପି ଏଣ୍ଡିଙ୍ଗ’ ଏକ ସମ୍ପୂର୍ଣ୍ଣ ମୌଳିକ କାହାଣୀକୁ ନେଇ ନିର୍ମାଣ ହୋଇଛି ବୋଲି ପ୍ରଯୋଜକ ଅତିଶ କୁମାର ରାଉତ ସୂଚନା ଦେଇଛନ୍ତି ।
ସୋମବାର ହୋଟେଲ ନିଉ ମ୍ୟାରିଅନ୍ ଠାରେ ସିନେମାର ମ୍ୟୁଜିକ ରିଲିଜ ଉତ୍ସବ ହୋଇଯାଇଛି । ଏହି ଅବସରରେ ନିର୍ଦ୍ଦେଶକ ତୁଷାର କହିଛନ୍ତି ଯେ ସିନେମାଟି ଚାରି ଜଣ ପିଲାବେଳର ବନ୍ଧୁଙ୍କ ବ୍ୟକ୍ତିଗତ ଓ ବୃତିଗତ ଜୀବନକୁ ନେଇ ପର୍ଯ୍ୟବେଶିତ । ଯେଉଁଥିରେ ପ୍ରତ୍ୟେକ ସିନ ଓ ପ୍ରତ୍ୟେକ ଚରିତ୍ରରେ ସସ୍ପେନ୍ସ ସହିତ ଭରି ରହିଛି ଲଭ ରୋମାନ୍ସ ଓ କେମେଷ୍ଟ୍ରି ।
ଯାହା ଥିଏଟରରେ ଦର୍ଶକଙ୍କୁ ସିନେମାର ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରିବ ବୋଲି ଆଶା ବାନ୍ଧିଛନ୍ତି ନିର୍ମାତା। ଚଳଚ୍ଚିତ୍ର ‘ରହସ୍ୟ’ର ଅପାର ସଫଳତା ପରେ ନାୟକ ଓ ନିର୍ଦ୍ଦେଶନାର ଦୈତ ଭୂମିକାରେ ତୁଷାରଙ୍କ ପାଇଁ ଏହା ଦ୍ବିତୀୟ ଏକ୍ସପେରିମେଟ୍ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ପ୍ରିୟଙ୍କା ମହାପାତ୍ର ।
ଏହା ସହିତ ମାନସ ମହାପାତ୍ର, ଲିପିକା ପରିଡା, ଶାସ୍ଵତ ଭୂୟାଁ, ଅଶୋକ ଦାସ, ପପି ସନ୍ତୁକା, ପିଣ୍ଟୁ ନନ୍ଦ, ଆର୍ଯ୍ୟମାନ ଅଗ୍ନିହୋତ୍ରୀ, ସୂର୍ଯ୍ୟା ଓ ଇପସିତାଙ୍କ ଅଭିନୟ ମଧ୍ୟ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ । ସେହି ପରି ଚଳଚ୍ଚିତ୍ରରେ ଚାରୋଟି ଗୀତ ରଖିଛନ୍ତି ନିର୍ମାତା । ଗୀତ ସରୋଜ ପଟ୍ଟନାୟକ ଓ ପୁଷ୍ପକ ପରିଡା ଲେଖିଥିବା ବେଳେ ବିଶ୍ବଜିତ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସେହିପରି ଏହି ରୋମାଣ୍ଟି ଗୀତ ଗାଇଛନ୍ତି କୁମାର ଦେବାନନ୍ଦ, ଅବିନାସ ଜେନା, ସୁମନ ଦାଶ ଓ ଅନୁରାଧା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ