ମୁମ୍ବାଇ: ଇଂଲଣ୍ଡରୁ ମଙ୍ଗଳବାର ଭାରତ ଫେରିଥିବା ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀ ନିଜକୁ ଆଇସୋଲେସନରେ ରଖିବେ। ସେ ଗୋଟିଏ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଏକୁଟିଆ ରହିବା ସହ କାହାରିକୁ ଦେଖା ମଧ୍ୟ କରିବେ ନାହିଁ। ସେ ଏପରି ନିଷ୍ପତ୍ତି କୋରୋନା ଭାଇରସରୁ ବଞ୍ଚିବା ପାଇଁ ନେଇଛନ୍ତି।
କୋଲକାତାର ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଥର୍ମଲ ସ୍କ୍ରିନିଂ ଓ କୋରୋନା ଭାଇରସର ଅନ୍ୟ ଟେଷ୍ଟ କରିବାକୁ ପଡିଥିଲା । ସେ ଇଂଲଣ୍ଡରେ ନିଜ ଆଗାମୀ ଫିଲ୍ମ ‘ବାଜି’ର ସୁଟିଂ ପାଇଁ ଥିଲେ। ବର୍ତ୍ତମାନ ଭାରତ ଫେରି ସେ ଫ୍ୟାନ୍ସଙ୍କୁ ଅପିଲ କରିଛନ୍ତି ଏହି ମହାମାରୀ ରୋଗକୁ ରୋକିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ପାଳନ କରିବାକୁ ।
ଯାଦବପୁରରୁ ଲୋକସଭା ସଦସ୍ୟ ମିମି ଦୁବାଇ ଯାତ୍ରା କରି ୟୁକେରୁ ଫେରିଛନ୍ତି । ଏଥି ନିମନ୍ତେ ତାଙ୍କର ଅନେକ ଟେଷ୍ଟ କରାଯାଇଛି। ଏହି ମାମଲାରେ ସେ କହିଥିଲେ ଯେ ସେ ବାପା-ମା'ଙ୍କୁ ଘରେ ସାକ୍ଷାତ କରିବାକୁ ମଧ୍ୟ ମନା କରିଦେଇଛନ୍ତି । କାରଣ ତାଙ୍କ ବାପାଙ୍କ ବୟସ 65 ବର୍ଷ । ଏଥି ପାଇଁ ସେ ଆଗାମୀ 7 ଦିନ ପର୍ଯ୍ୟନ୍ତ କାହାରିକୁ ଦେଖା କରିବେ ନାହିଁ।