କଟକ: ‘ଯାଯାବର ମନ ମୋର, ସୀମା ହିନ ଆଶା ତାର’ ସତରେ ତାଙ୍କ ଗୀତରେ ନଥିଲା କୌଣସି ସୀମା ଓ ସରହଦ । କେବେ ପାପର ନିଆଁରେ ଜଳିଥିଲେ ତ ଆଉ କେବେ ପ୍ରେମର ଫର୍ମୁଲା ଶିଖାଇ ସାଜିଥିଲେ କଳଙ୍କିତ । ତାଙ୍କ ଗୀତ ବାଜିବା ମାତ୍ରେ ଝୁମି ଉଠୁଥିଲେ ଦର୍ଶକ । ସେହି ମହାନ ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଖୋକା ଭାଇ ତଥା ଅକ୍ଷୟ ମହାନ୍ତିଙ୍କ ଆଜି 85ତମ ଜନ୍ମ ବାର୍ଷିକୀ ।
‘କଳଙ୍କିତ ଏଇ ନାୟକ, ଆଖିରୁ ଲୁହ ବି ପଡିଲେ ଝରି, ଦୁନିଆ ଯେ କହେ କାନ୍ଦୁଛି ପୁଣି ସେ ନୂଆ କିଛି ପାପ କରି’ ଭଳି ଗୀତରେ ଭରିଥିଲେ ନିଜ ମନର ଭାବକୁ । ଯାହା ଦର୍ଶକଙ୍କ ଆଖିରେ ଆଣି ଦେଇଥିଲା ଲୁହ ।
ପିତା ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣ ମଞ୍ଜରି ଦେବୀଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ ଅକ୍ଷୟ । ସେ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ଆଇଏସସି ଏବଂ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ କରିଥିଲେ । ମଧୁସୂଦନ ଆଇନ ମଦାବିଦ୍ୟାଳୟରୁ ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ ।
ପିଲା ବେଳ ସଙ୍ଗୀତ, କବିତାକୁ ନିଜ ପ୍ରଥମ ପସନ୍ଦ ମାନୁଥିବା ଅକ୍ଷୟ 1965ରେ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ‘ମଲାଜହ୍ନ’ କଥାଚିତ୍ର ପାଇଁ ସେ ସଙ୍ଗୀତ ନିର୍ମାଣ କରିଥିଲେ । ‘ରକତ ଟଳମଳ’ ଗୀତଟି ବହୁତ ଲୋକପ୍ରିୟ ମଧ୍ୟ ହୋଇଥିଲା । ସେ ପାଖାପାଖି 75ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ତିଆରି କରିଥିବାବେଳେ 92ଟି କଥାଚିତ୍ରରେ ଗୀତିକାର ମଧ୍ୟ ସାଜିଥିଲେ ।
ବହୁ ଗାୟକଙ୍କ କଣ୍ଠ ସୁନ୍ଦର, ସେମାନଙ୍କ ଗୀତ ମଧ୍ୟ ମଧୁର । କିନ୍ତୁ ଅକ୍ଷୟ ସମସ୍ତଙ୍କ ଠାରୁ ନିଆରା । ତାଙ୍କ ଗୀତ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଥିଲା ବରଦାନ । ତାଙ୍କ ପାଖରେ ଲମ୍ବା ଧାଡି ଲମ୍ବିଥିଲା ଓଡ଼ିଆ ପୁରାଣ ଆଉ ପୁରୁଣା ସାହିତ୍ୟ ପର୍ଯ୍ୟନ୍ତ । ‘କାଞ୍ଚି ଅଭିଯାନ’, ‘ରାଣ୍ଡୀପୁଅ ଅନନ୍ତା’ ଆଉ ‘କୋଣାର୍କ ଗାଥା’ ଥିଲା ଅନ୍ୟତମ ।
ତାଙ୍କର ‘ଯାଯାବର’,‘ ଯା'ରେ ଭାସି ଭାସି ଯା’, ‘ଅବୁଝା ପ୍ରିୟତମା’, ‘ନଦୀର ନାମ ଅଳସକନ୍ୟା’, ‘କଳଙ୍କିତ ଏଇ ନାୟକ’ ଭଳି ଗୀତ ଆଜି ମଧ୍ୟ ଦର୍ଶକଙ୍କ ଓଠରେ ଶୁଣିବାକୁ ମିଳୁଛି । ଏହି ଗୀତ ଦ୍ବାରା ଅକ୍ଷୟ ମଧ୍ୟ ନିଜର ନୂଆ ପରିଚୟ ଓଡ଼ିଆ ଇଣ୍ଡଷ୍ଟ୍ରିରେ ସ୍ଥାପନ କରିବାରେ ସଫଳ ହୋଇଥିଲା । ସେହିପରି ତାଙ୍କ ଭଜନ ମଧ୍ୟ ଦର୍ଶକଙ୍କ ମନରେ ଭରିଦିଏ ଭକ୍ତିଭାବ ।
ପ୍ରକାଶ ଥାଉକି ଓଡ଼ିଆ ସିନେମାରେ ତାଙ୍କ ଯୋଗଦାନ ପାଇଁ ତାଙ୍କୁ ଜୟଦେବ ପୁରସ୍କାର, ପ୍ରଚ୍ଛଦ ସଙ୍ଗୀତ ପାଇଁ 7 ଗୋଟି ରାଜ୍ୟ ପୁରସ୍କାର, ରାଜ୍ୟ ସଙ୍ଗୀତକାର ପୁରସ୍କାର, ଓଡ଼ିଆ ସିନେ କ୍ରିଟିକ ପୁରସ୍କାର ଏବଂ ମରଣୋତ୍ତର ଉତ୍କଳ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କର ଏହି ଅବଦାନ ଚିରସ୍ମରଣୀୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ