ମୁମ୍ବାଇ: ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ନିର୍ବାଚନ ପରେ ଏନେଇ ଲାଗି ରହିଛି ବିବାଦ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଟଣାଓଟରା ଲାଗି ରହିଛି । ଉଭୟ ନିଜ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଜିଦରେ ଅଡି ବସିଛନ୍ତି । ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ଲାଗି ନୂଆ ନାମ ଚର୍ଚ୍ଚାକୁ ଆସିଛି । ଆଉ ସେ ହେଉଛନ୍ତି ବଲିଉଡ ଷ୍ଟାର ଅନୀଲ କପୁର ।
କଣ ଚମକି ପଡିଲେ କି ? ଆଜ୍ଞା ହଁ, ଆପଣ ଠିକ ଶୁଣିଛନ୍ତି । ମହାରାଷ୍ଟ୍ର ରାଜନୀତିରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଆଉ ଏହି ଅବସରରେ ଅନୀଲ କପୁରଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଜଣେ ଫ୍ୟାନ୍ସ ଅନୁରୋଧ କରିଛନ୍ତି । ଜଣେ ଟ୍ବିଟର ଉପଭୋକ୍ତା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରାଜନୀତି ଉପରେ କଟାକ୍ଷ କରିଛନ୍ତି । ଏହାସହ ଲେଖିଛନ୍ତି, ଯେପର୍ଯ୍ୟନ୍ତ ମହାରାଷ୍ଟ୍ରରେ କେହି ମୁଖ୍ୟମନ୍ତ୍ରୀ ଚୟନ ହୋଇନାହାନ୍ତି ସେପର୍ଯ୍ୟନ୍ତ ଅଭିନେତା ଅନୀଲ କପୁର ଏହି ପଦବୀ ସମ୍ଭାଳନ୍ତୁ ।
କାରଣ ପୂର୍ବରୁ ପୁରା ଦେଶ ତାଙ୍କ କାମ ଦେଖିଛି ଏହଂ ପ୍ରଶଂସା ମଧ୍ୟ କରିଛି । ଯଦିଚ ଏହା ଫିଲ୍ମର କାହାଣୀ, ତଥାପି ସେ ଅସଲ ଜୀବନରେ ଜଣେ ସଚ୍ଚୋଟ ମୁଖ୍ୟମନ୍ତ୍ରୀ ହୋଇପାରିବେ ବୋଲି ସେ ଲେଖିଛନ୍ତି । ଏହାସହ ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ନାୟକ ଫିଲ୍ମର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଅନେକ ୟୁଜର୍ସ ଏହା ଉପରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । କେବଳ ସେତିକି ନୁହେଁ ନିଜେ ଅନୀଲ କପୁର ମଧ୍ୟ ଏଥିରେ ମଜାଦାର ଉତ୍ତର ଦେଇଛନ୍ତି । ଏହି ଟ୍ବିଟକୁ ଅନୀଲ ରିଟ୍ବିଟ କରିବା ସହ ଲେଖିଛନ୍ତି, "ମୁଁ ନାୟକ ହିଁ ଠିକ୍ ଅଛି ।" ଅନୀଲଙ୍କ ଏହି ପୋଷ୍ଟରେ ଅନେକ ଫ୍ୟାନ୍ସ ନିଜ ପ୍ରତିକ୍ରିୟା ରଖିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, 2001 ମସିହାରେ ଅନିଲ କପୁର ଷ୍ଟାରର ଫିଲ୍ମ ନାୟକ ପରଦାକୁ ଆସିଥିଲା । ଏହି ଫିଲ୍ମକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଏଥିରେ ଅନୀଲ ଦିନକ ପାଇଁ ମୁଖ୍ୟମନ୍ତ୍ରୀ ସାଜି ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ ।