ମୁମ୍ବାଇ: ବଲିଉଡର ସଫଳ ଫିଲ୍ମ ତାଲିକାରେ କୁଛ କୁଛ ହୋତା ହେ ଅନ୍ୟତମ । ଶାହାରୁଖ ଖାନ, ରାଣୀ ମୁଖାର୍ଜୀ ଓ କାଜୋଲ ଅଭିନୀତ ଏହି ଫିଲ୍ମ 1998ରେ ମୁକ୍ତିଲାଭ କରିଥିଲା । ସେ ସମୟରେ ଏହା ବିପୁଳ ସଫଳତା ହାସଲ କରିବା ସହ ସୁପରହିଟ୍ ହୋଇଥିଲା । ଲଭ, ଫ୍ରେଣ୍ଡସିପ୍, ବାପା-ଝିଅର ସମ୍ପର୍କ ସବୁକିଛି ଏଥିରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ଶାହାରୁଖ ଓ କାଜୋଲଙ୍କ ଆକ୍ଟିଂ ସମସ୍ତଙ୍କ ହୃଦୟ ଜିଣିଥିଲା । ଏହାପରେ ଉଭୟ ଏକ ସଫଳ ଅନସ୍କ୍ରିନ ଯୋଡିର ମାନ୍ୟତା ପାଇଥିଲେ । ଫିଲ୍ମର 21 ବର୍ଷ ପରେ ବି ଏହାକୁ ଆଜି ଲୋକେ ମନେ ରଖିଛନ୍ତି ।
ତେବେ ଏହି ଫିଲ୍ମ ସହ ଏହାର ସୁଟିଂ ସେଟର କାହାଣୀ ମଧ୍ୟ ଲୋକଙ୍କ ମଧ୍ୟରେ ଆଜି ବି ଚର୍ଚ୍ଚା ହୁଏ । ଫିଲ୍ମର କାଷ୍ଟ ଏପରି ଅନେକ ମଜାଦାର ଓ କୌତୁହଳପୂର୍ଣ୍ଣ କାହାଣୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଏଥି ମଧ୍ୟରୁ ଗୋଟିଏ ଘଟଣା ଯାହା ଆଜି ବି ଦର୍ଶକଙ୍କ ପାଇଁ ଅଜଣା ହୋଇରହିଛି ତାହା ହେଲା କାଜୋଲଙ୍କ ମୋମୋରୀ ଲସ ଅବା ସ୍ମରଣ ଶକ୍ତି ହରାଇବା । ଯଦିଚ ଏବେ କାଜୋଲ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କର କୌଣସି ପ୍ରକାର ସମସ୍ୟା ହୋଇନାହିଁ । ତେବେ ସେ ସମୟରେ ଏହା ଏକ ଛୋଟ ଘଟଣା ଥିଲା । ଫିଲ୍ମର ଗୀତ ୟେ ଲଡକା ହେ ଦିୱାନାର ସୁଟିଂ ଚାଲିଥିବାବେଳେ ଏପରି ହୋଇଥିଲା । କାଜୋଲ ଏକ ବାଇସାଇକେଲ ଚଲାଇ ଆସୁଥିବାବେଳେ ନିୟନ୍ତ୍ରଣ ହରାଇ ତଳେ ପଡିଯାଇଥିଲେ ଏବଂ ସାମାନ୍ୟ ଆଘାତ କାରଣରୁ ସେ ନିଜ ସ୍ମରଣ ଶକ୍ତି ହରାଇ ବସିଥିଲେ ।
ଆଘାତ ଛୋଟ ଥିଲା ହେଲେ ଏହାର ଗଭୀର ପ୍ରଭାବ କାଜୋଲଙ୍କ ଉପରେ ପଡିଥିଲା । ଏଥିରେ ସେ କିଛି ସମୟ ପାଇଁ ନିଜ ସ୍ମରଣ ଶକ୍ତି ହରାଇ ବସିଥିଲେ । ପ୍ରାୟ ଘଣ୍ଟେ ଯାଏଁ ସେ କାହାକୁ ବି ଚିହ୍ନିପାରିନଥିଲେ । ଯାହାକୁ ନେଇ ପୁରା ୟୁନିଟ୍ ବ୍ୟସ୍ତ ହୋଇପଡିଥିଲା । ଏହାପରେ ଅଜୟ ଦେବଗନଙ୍କୁ ସୁଟିଂ ସେଟକୁ ଡକାଯାଇଥିଲା । ତେବେ ଅଜୟଙ୍କୁ କାଜୋଲ ଚିହ୍ନିପାରିଥିଲେ । ଅଜୟଙ୍କ ସହ ସେ ଅନେକ ସମୟ କଥା ହେବା ପରେ ସମସ୍ତଙ୍କୁ ଧିରେ ଧିରେ ଜାଣିଥିଲେ । କିଛି ଘଣ୍ଟା ପରେ ତାଙ୍କ ସ୍ମରଣ ଶକ୍ତି ଫେରିଥିଲା । ଘଟଣାଟି ସାମାନ୍ୟ ଥିଲେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିଥିଲା । ତେବେ ଏଥିରୁ ଅଜୟ-କାଜୋଲଙ୍କ ସମ୍ପର୍କର ନିବିଡତା ସ୍ପଷ୍ଟ ଦେଖାଯାଇଥିଲା ।