ମୁମ୍ବାଇ: ଗତମାସ ପ୍ରଖ୍ୟାତ ଅଭିନେତା ରିଷି କପୁରଙ୍କ ଦେହାନ୍ତ ହୋଇଥିଲା । ଯାହାକୁ ନେଇ ବଲିଉଡରେ ଖେଳିଯାଇଥିଲା ଶୋକର ଛାୟା । ତେବେ ରିଷିଙ୍କ ମୃତ୍ୟୁକୁ ମାସେ ପୁରିବାକୁ ବସିଲାଣି । ଏହି ସମୟରେ ସବୁଠାରୁ ଅଧିକ ଚିନ୍ତାଗ୍ରସ୍ତ ଅଛନ୍ତି ରିଷିଙ୍କୁ ନେଇ ଆଗାମୀ ଫିଲ୍ମ ତିଆରି କରୁଥିବା ପ୍ରଯୋଜକ ।
ସୂଚନା ଅନୁସାରେ ରିଷିଙ୍କ ହାତରେ 2ଟି ଫିଲ୍ମର ଅଫର ଥିଲା । ଗୋଟିଏ ଶର୍ମାଜୀ ନମକିନ ଓ ଅନ୍ୟଟି ‘ଦ ଇଣ୍ଟର୍ଣ୍ଣ’। ଶର୍ମାଜୀ ନମକିନର ସୁଟିଂ ଓ ପ୍ରଡକ୍ସନ କାମ ମଧ୍ୟ ଆରମ୍ଭ ହୋଇଯାଇଥିଲା । ତେବେ ‘ଦ ଇଣ୍ଟର୍ଣ୍ଣ’ ସୁଟିଂ ମଧ୍ୟ ଆରମ୍ଭ ହୋଇନଥିଲା । ଏଥିରେ ରିଷିଙ୍କ ବିପକ୍ଷରେ ଥିଲେ ଦୀପିକା ପାଦୁକୋନ । ପ୍ରଥମର ଉଭୟ ଏକାଠି ସ୍କ୍ରିନ ସେୟାର କରିଥାନ୍ତେ । ଫିଲ୍ମଟିର ଷ୍ଟୋରୀ ସମାନ ନାମରେ ଥିବା ହଲିଉଡ ଫିଲ୍ମରୁ ଆଧାରିତ । ରିଷିଙ୍କୁ ଦୃଷ୍ଟିରେ ରଖି କ୍ୟାରେକ୍ଟରର କାହାଣୀ ଲେଖାଯାଇଥିଲା । ହେଲେ ଏବେ ରିଷିଙ୍କ ଦେହାନ୍ତ ପରେ ଚିନ୍ତାରେ ପଡିଛନ୍ତି ପ୍ରଯୋଜକ । ତାଙ୍କ ସ୍ଥାନରେ କାହାକୁ ନେବେ ସେନେଇ ମେକର୍ସ ଅଭିନେତା ଖୋଜୁଛନ୍ତି ।
ଖବର ମିଳିଛି ଯେ ଏହି ସ୍ଥାନରେ ଅନୁପମ ଖେର କିମ୍ବା ପରେଶ ରାୱଲଙ୍କୁ ନିଆଯାଇପାରେ । ଏପରିକି ପିକୁରେ ଦୀପିକାଙ୍କ ସହ ଆକ୍ଟିଂ କରିଥିବା ଅମିତାଭ ବଚ୍ଚନଙ୍କ ନାମ ବି ଶୁଣିବାକୁ ମିଳୁଛି । ତେବେ ରିଷିଙ୍କ ଭଳି ଆକ୍ଟରଙ୍କ ସ୍ଥାନ ପୂରଣ କରିବା ଅସମ୍ଭବ ବୋଲି ଫିଲ୍ମର ମେକର୍ସ କହିଛନ୍ତି । ସେହିପରି ଶର୍ମାଜୀ ନମକିନର ସୁଟିଂ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ରିଷି ଏହାର କେତେକ ସିନରେ ଆକ୍ଟିଂ କରିଥିଲେ । ତେବେ ପ୍ରଯୋଜକ ଫିଲ୍ମରେ ରିଷିଙ୍କ ପାଇଁ ଅତ୍ୟାଧୁନିକ ଭିଏଫଏକ୍ସର ବ୍ୟବହାର କରିବେ ବୋଲି ସୂଚନା ଦେଇଛନ୍ତି ।
ଫିଲ୍ମର କୋ ପ୍ରଡ୍ୟୁସର ହନି ଟ୍ରେହାନଙ୍କ ସୂଚନା ଅନୁସାରେ କିଛି ଭିଏଫଏକ୍ସ ଷ୍ଟୁଡିଓ ସହ କଥା ଆରମ୍ଭ ହୋଇସାରିଛି । ରିଷିଙ୍କ ଭୂମିକାରେ ଏହାର ବ୍ୟବହାର କରାଯିବ । ଏହାସହ ଅନେକ ଅତ୍ୟାଧୁନିକ ଟେକନିକ୍ର ମଧ୍ୟ ବ୍ୟବହାର ହେବ । ଫିଲ୍ମଟି ରିଷିଙ୍କ ପରିବାର, ଫ୍ୟାନ୍ସ ଓ ଶୁଭେଚ୍ଛୁଙ୍କ ପାଇଁ ତିଆରି ହେବ ବୋଲି ସେ କହିଛନ୍ତି । ପ୍ରୋଜେକ୍ଟକୁ କେବେ ହେଲେ ବନ୍ଦ କରାଯିବନି । ରିଷିଙ୍କ ଉଦ୍ଦେଶ୍ୟରେ ଏହା ନିର୍ମାଣ ହେବ । ଫିଲ୍ମରେ ଫିମେଲ ଲିଡରେ ଅଛନ୍ତି ଜୁହି ଚାୱଲା ।