ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନ ବର୍ତ୍ତମାନ ନିଜର ଚର୍ଚ୍ଚିତ ଫିଲ୍ମ ‘କୁଲି ନଂ-1’ର ସୁଟିଂରେ ଖୁବ୍ ବ୍ୟସ୍ତ । ଏହି ଫିଲ୍ମରେ ପ୍ରଥମଥର ତାଙ୍କ ସହ ରୋମାନ୍ସ କରିବେ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ସେହିପରି ବରୁଣ ‘କୁଲି ନଂ-1’ ବ୍ୟତୀତ ଶ୍ରଦ୍ଧା କପୁରଙ୍କ ସହ ‘ଷ୍ଟ୍ରିଟ ଡାନ୍ସର 3ଡି’ର ଡବିଂ କାମ ମଧ୍ୟ କରୁଛନ୍ତି । ଇତିମଧ୍ୟରେ ବରୁଣଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି ଯେ ଗୋଟିଏ ଷ୍ଟଣ୍ଟ ସିନ ସମୟରେ ତାଙ୍କ ସହ ଦୁର୍ଘଟଣା ଘଟିଛି ।
ବରୁଣ ବର୍ତ୍ତମାନ ବିଡି ମୁମ୍ବାଇର ଆଖପାଖ ଅଞ୍ଚଳରେ ସୁଟିଂ କରୁଛନ୍ତି । ଆଉ ତାଙ୍କୁ ଏକ ଦୁର୍ଘଟଣାର ସାମ୍ନା କରିବାକୁ ପଡିଥିଲା । ଫିଲ୍ମର ଟିମ ପକ୍ଷରୁ ଏହାର ସୂଚନା ଦିଆଯାଇଛି । ଟିମ ଅନୁଯାୟୀ ବରୁଣ ଷ୍ଟଣ୍ଟ ସିକ୍ବେନ୍ସ ସମୟରେ କିଛି କ୍ଲୋଜ-ଅପ ସଟ୍ସର ସୁଟ କରୁ କରୁ ଏକ କାରରେ ଫସି ଯାଇଥିଲେ । ବରୁଣ ଯେଉଁଠାରେ ଫସି ଯାଇଥିଲେ ତାହା ବିପଦପୂର୍ଣ୍ଣ ଥିଲା । କିନ୍ତୁ ସୁଟିଂ ଶେଷ ହେବା ପରେ ବରୁଣଙ୍କୁ ସେଠାରୁ ବାହାର କରାଯାଇଥିଲା । ଆଉ ପରେ ସମସ୍ତଙ୍କୁ ସେ ଜଣାଇଥିଲେ ଯେ କାରର ଡୋର ଜାମ ହୋଇଯିବାରୁ ସେଥିରେ ସେ ଫସି ଯାଇଥିଲେ ।
ପ୍ରକାଶ ଥାଉକି ‘କୁଲି ନଂ-1’ରେ ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଲୋକପ୍ରିୟ ନିର୍ମାତା ଡେଭିଡ ଧୱନ । ପିତାଙ୍କ ଏହି ଫିଲ୍ମରେ କାମ କରି ଖୁସି ଅଛନ୍ତି ବରୁଣ । ପିତାଙ୍କ ସହ ବରୁଣଙ୍କ ଏହା ଦ୍ବିତୀୟ ଫିଲ୍ମ । ପୂର୍ବରୁ ଡେଭିଡଙ୍କ ସହ ସେ ‘ଜୁଡୱା-2’ରେ କାମ କରିସାରିଛନ୍ତି । 1995ରେ ଆସିଥିବା ଗୋବିନ୍ଦା ଓ କରିସ୍ମା କପୁରଙ୍କ ସୁପରହିଟ୍ ଫିଲ୍ମ ‘କୁଲି ନଂ -1’ର ଏହା ରିମେକ ଫିଲ୍ମ । ଆସନ୍ତା ବର୍ଷ ମେ 1ରେ ଏହି କମେଡି ଡ୍ରାମା ଫିଲ୍ମକୁ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।