ମୁମ୍ବାଇ: ଚର୍ଚ୍ଚାରେ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତ୍। ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକୋ ସହିତ ତୁଳନା କରିବା ପରେ ତାଙ୍କୁ ନେଇ ବିବାଦ ତେଜିବାରେ ଲାଗିଛି। ଏହି ଘଟଣା ପରେ ବିଏମସି କଙ୍ଗନାଙ୍କ ପ୍ରତି ପ୍ରତିଶୋଧ ନେବାକୁ ତୟାର ରହିଛି। ଏଭଳି ଏକ ସଂଘର୍ଷପୂର୍ଣ୍ଣ ସ୍ଥିତିର ସମାଧାନ ଓ କଙ୍ଗନାଙ୍କ ପାଇଁ ନ୍ୟାୟ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ ।
ସୂଚନା ଅନୁସାରେ, ଅଠୱାଲେ ଶୁକ୍ରବାର ମହାରାଷ୍ଟ୍ର ରାଜ୍ୟପାଳ ଭଗବତ ସିଂ କୋଶିଆରିଙ୍କୁ ଭେଟି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଇଁ ନ୍ୟାୟ ମାଗିଛନ୍ତି। ବିଏମସି ମୁମ୍ବାଇରେ ଅଭିନେତ୍ରୀଙ୍କ କାର୍ଯ୍ୟାଳୟରେ ଅନଧିକୃତ ତଥା ବେଆଇନ ନିର୍ମାଣକୁ ଭାଙ୍ଗିବା ପରେ ସେ ବହୁ କ୍ଷତି ସହିଥିବା କହିଛନ୍ତି। ଆରପିଆଇ ମୁଖ୍ୟ ମଧ୍ୟ ଅଭିନେତ୍ରୀଙ୍କ ଅବହେଳିତ କାର୍ଯ୍ୟ ଯୋଗୁଁ ହୋଇଥିବା କ୍ଷତି ପାଇଁ ବିଏମସି ପକ୍ଷରୁ ଯଥେଷ୍ଟ କ୍ଷତିପୂରଣ ଦାବି କରିଛନ୍ତି।
'ବିଏମସି କଙ୍ଗନାଙ୍କ ସମ୍ପତ୍ତିରେ ଯେଉଁଭଳି ଭାବେ ଭଙ୍ଗାରୁଜା କରିଥିଲା ତାହା ଭୁଲ ଅଟେ, ତାଙ୍କୁ ନ୍ୟାୟ ମିଳିବ । କଙ୍ଗନା ରାଜନୀତିରେ ଆଗ୍ରହୀ ନୁହଁନ୍ତି ବରଂ ସମାଜରେ ଏକତା ଆଣିବାକୁ ଆଗ୍ରହୀ ବୋଲି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।'
କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ସେ ବିଏମସି ଅଧିକାରୀ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବେ। ଏହି ସମୟରେ ମହାରାଷ୍ଟ୍ର ରାଜ୍ୟପାଳ ଭଗବତ ସିଂ କୋଶିଆରି ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ବିଶେଷ ଉପଦେଷ୍ଟା ଅଜୟ ମେହେଟ୍ଟାଙ୍କୁ ଡକାଇ କଙ୍ଗନାଙ୍କ ପାଲି ହିଲ କାର୍ଯ୍ୟାଳୟରେ ବିଏମସି ଦ୍ୱାରା ହୋଇଥିବା ଭଙ୍ଗାରୁଜାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏହାପୂର୍ବରୁ ବମ୍ବେ ହାଇକୋର୍ଟ ବିଏମସି ଦ୍ୱାରା ବଲିଉଡ ଅଭିନେତା କଙ୍ଗନାଙ୍କ ସମ୍ପତ୍ତିରେ ଚାଲିଥିବା ଏହି ଭଙ୍ଗାରୁଜା କାର୍ଯ୍ୟକୁ ସ୍ଥଗିତ ରଖିଥିଲେ। ହାଇକୋର୍ଟର ଏକ ବେଞ୍ଚ ବିଏମସିକୁ ଏହି ମାମଲାରେ ତାଙ୍କ ଆବେଦନକୁ ଜବାବ ଦେବାକୁ କହିଛି।