ମୁମ୍ବାଇ: ଆକ୍ସନ ଷ୍ଟାର ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ବାଗି 3’ ଗତ ଶୁକ୍ରବାର ରିଲିଜ ହୋଇଥିଲା । ଫିଲ୍ମର ଶାନଦାର ପ୍ରଦର୍ଶନ ବର୍ତ୍ତମାନ ବକ୍ସ ଅଫିସରେ ଦେଖିବାକୁ ମିଳୁଛି। ଫିଲ୍ମ ରିଲିଜକୁ ତିନି ଦିନ ପୂରିସାରିଛି । ଆଉ ସବୁଦିନ ଜବରଦସ୍ତ ଆୟ ଦ୍ବାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି ଫିଲ୍ମ। ଫାଷ୍ଟ ୱିକେଣ୍ଡରେ 60 କୋଟି ପାର କରିନେଇଛି।
ଟାଇଗରଙ୍କ ଅଭିନୀତ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ କେତେ କ୍ରେଜ ତାହା ଶନିବାର ଓ ରବିବାର ବଢୁଥିବା ଆୟରୁ ଅନ୍ଦାଜା ଲଗାଯାଇପାରିବ। ବକ୍ସ ଅଫିସ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ବାଗି 3 ଶନିବାର 16.03 କୋଟି ଆୟ କରିଥିବା ବେଳେ ରବିବାର 20 କୋଟି ଆୟ କରିବାରେ ସଫଳ ହୋଇଥିଲା । ସେହିପରି ଫିଲ୍ମର ଫାଷ୍ଟଡେ କଲେକ୍ସନ ପାଖାପାଖି 17.50 କୋଟି ଆୟ କରିଥିଲା । ତିନିଦିନର କଲେକ୍ସନ ମିଶାଇ ଏଯାବତ ଫିଲ୍ମ 63 କୋଟି ଟଙ୍କା ଆୟ କରିସାରିଲାଣି ।
ବକ୍ସ ଅଫିସରେ ଫିଲ୍ମର ଜବରଦସ୍ତ କଲେକ୍ସନ ଦେଖି ଏହା କହିବା ଭୁଲ ହେବ ନାହିଁ ଯେ ଖୁବଶୀଘ୍ର ଫିଲ୍ମଟି 100 କୋଟି କ୍ଲବରେ ଏଣ୍ଟ୍ରି କରିବ । ଏହି ଫିଲ୍ମ ଏବର୍ଷର ସବୁଠାରୁ ବଡ ଓପନିଂ ହାସିଲ କରିଥିବା ଫିଲ୍ମ ସାଜିଛି । ଯଦି ନଜର ପକାଇବା ବାଗି 3 ପ୍ରଥମ ଦିନରେ 17.50 କୋଟି ଆୟ କରିଛି । ଆଉ ଜାନୁଆରୀରେ ରିଲିଜ ହୋଇଥିବା ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ’ 15.10 ଆୟ କରିଥିବା ବେଳେ ଭାଲେଣ୍ଟାଇନ ଦିବସରେ ରିଲିଜ ହୋଇଥିବା ଫିଲ୍ମ ‘ଲଭ ଆଜକଲ’ ମାତ୍ର 12.40 କୋଟି ଆୟ କରିଥିଲା ।
ସେହିପରି ବରୁଣ ଧୱନ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ଷ୍ଟ୍ରିଟ ଡାନ୍ସର 3ଡି 10.26 କୋଟି ଆୟ କରିଥିଲା । ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସମଲିଙ୍ଗୀ ପ୍ରେମ କାହାଣୀକୁ ନେଇ ଆଧାରିତ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ 9.55 କୋଟିର ଓପନିଂ ହାସଲ କରିଥିଲା ।
ପ୍ରକାଶ ଥାଉକି ‘ବାଗି 3’ରେ ଟାଇଗର ଓ ଶ୍ରଦ୍ଧାଙ୍କ ବ୍ୟତୀତ ରିତେଶ ଦେଶମୁଖ, ଅଙ୍କିତା ଲୋଖଣ୍ଡେ, ବିଜୟ ବର୍ମା, ଜୟଦୀପ ଅହଲାଭତ, ଜମୀର ଖେରି ଓ ଦାନିଶ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।