ମୁମ୍ବାଇ: ଶୁଣିବାକୁ ମିଳୁଥିଲା ଯେ ଫିଲ୍ମ 'ବୋଲେ ଚୁଡ଼ିୟାଂ'ରେ ଭର୍ସାଟାଇଲ ଅଭିନେତା ନୱାଜଦ୍ଦୀନ ସିଦ୍ଦିକୀଙ୍କ ସହ ଛୋଟ ପରଦାର ନାଗିନ ମୌନୀ ରାୟଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ । କିନ୍ତୁ ଗତ କିଛି ଦିନ ପୂର୍ବରୁ ଏହି ଖବର ଜୋର ଧରିଥିଲା ଯେ ଏହି ଫିଲ୍ମରୁ ମୌନୀ ବାଦ ପଡିଛନ୍ତି ।
ଏବେ ତାଙ୍କୁ ଯେଉଁ ଅଭିନେତ୍ରୀ ରିପ୍ଲେସ କରିଛନ୍ତି ସେ ହେଲେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ତମନ୍ନା ଭାଟିୟା । ଫିଲ୍ମର ମେକର୍ସ ବର୍ତ୍ତମାନ ଫିଲ୍ମରେ ତମନ୍ନାଙ୍କୁ ସାଇନ କରାଇନେଇଛନ୍ତି ।
ଏମିତି ପ୍ରଥମଥର ହେବାକୁ ଯାଉଛି ଯେବେ ନୱାଜ ଓ ତମନ୍ନା ଏକାଠି ନଜର ଆସିବେ । ଗତ ମେ’ ରେ ଘୋଷଣା କରାଯାଇଥିଲା ଯେ ମୌନୀ ଆଉ ଏହି ଫିଲ୍ମର ଅଂଶ ନାହାଁନ୍ତି ବୋଲି । ଫିଲ୍ମରୁ ବାହାରିବା ପରେ ମୌନୀ ଏବଂ ନିର୍ମାତା ସାକ୍ଷାତକାରେ ଭିନ୍ନ ଭିନ୍ନ କାରଣ ଦର୍ଶାଇଥିଲେ ।
ଏହି ଅବସରରେ ତମନ୍ନା କହିଛନ୍ତି କି ସେ 'ବୋଲେ ଚୁଡ଼ିୟାଂ'ର ସାମିଲ ହୋଇ ବହୁତ ଉତ୍ସାହିତ ଅଛନ୍ତି । ଆଉ ନୱାଜଙ୍କ ସହ କାମ କରିବାକୁ ନେଇ ମଧ୍ୟ । ଫିଲ୍ମର କାହାଣୀ ଆମ ସମାଜର ବାସ୍ତବ ପ୍ରସଙ୍ଗକୁ ନେଇ ତିଆର ହେବାକୁ ଯାଉଥିବାରୁ ତାଙ୍କୁ କାହାଣୀ ଖୁବ୍ ଆକର୍ଷିତ କରିଥିଲା । ଯାହା ପାଇଁ ସେ ଫିଲ୍ମରେ ଅଭିନୟ କରିବାକୁ ରାଜି ହୋଇଛନ୍ତି ।
ଅନ୍ୟପଟେ ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ମଧ୍ୟ ଦର୍ଶକଙ୍କୁ ଏହାର ସୂଚନା ଟ୍ବିଟର ଆକାଉଣ୍ଟରେ ଦେଇଛନ୍ତି । ତମନ୍ନା ଫିଲ୍ମରେ ସାମିଲ ହେବା ସହ ଫିଲ୍ମର ନିର୍ଦ୍ଦେଶନା ନୱାଜଙ୍କ ଭାଇ ଶମାସ ନୱାବ ସିଦ୍ଦିକୀ କରୁଥିବା ବେଳେ ପ୍ରଯୋଜନା ଦାୟିତ୍ବ ତୁଲାଉଛନ୍ତି ରାଜେଶ ଓ କିରନ ଭାଟିୟା ବୋଲି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।