ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ତାଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ନ୍ୟାୟ ଦାବି କରିଆସୁଛନ୍ତି । ଏଯାବତ ତାଙ୍କ ମୃତ୍ୟୁକୁ କେହି ବିଶ୍ବାସ କରିପାରୁନାହାଁନ୍ତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସୁଶାନ୍ତଙ୍କ ଭଳି ଫେମସ ଅଭିନେତା କାହିଁକି ଆତ୍ମହତ୍ୟା ଭଳି ପଦକ୍ଷେପ ନେବ । ସେ ଜୁନ 14 ତାରିଖରେ ମୁମ୍ବାଇ ସ୍ଥିତ ବାନ୍ଦ୍ରା ନିବାସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟାକୁ ନେଇ କ୍ରୋଧିତ ଥିବା ଫ୍ୟାନ୍ସ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଲଗାଇବାରେ ଲାଗିଛନ୍ତି । ସେପଟେ ମୁମ୍ବାଇ ପୋଲିସ ମଧ୍ୟ ଏଯାବତ ତାଙ୍କ ସହ ସମ୍ପୃକ୍ତ ଥିବା 35 ଜଣ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି । ଇତିମଧ୍ୟରେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କ୍ରିତି ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଛନ୍ତି ।
ସେ ଫେସବୁକରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଆପଣ ଯେଉଁ ପରି ପ୍ରେମ ଓ ସମର୍ଥନ ଦେଖାଇଛନ୍ତି, ସେଥିପାଇଁ ଆମେ ସବୁବେଳେ ଋଣି ରହିବୁ । ଏହି କଠିନ ସମୟରେ ଆମ ପରିବାରକୁ ଶକ୍ତି ଦେବା ଏବଂ ଆମ ଧ୍ୟାନ ରଖିବା ପାଇଁ ଆପଣମାନଙ୍କୁ ଧନ୍ୟବାଦ । ଭଗବାନ ଓ ତାଙ୍କ ନ୍ୟାୟ ଉପରେ ବିଶ୍ବାସ ରଖନ୍ତୁ ଏବଂ ପ୍ରାର୍ଥନା କରନ୍ତୁ ।’
ପ୍ରକାଶ ଥାଉକି ଶ୍ବେତା ୟୁଏସରେ ରହୁଛନ୍ତି । ହେଲେ ନିକଟରେ ସେ ପାଟନାରେ ଆସିଥିଲେ । ସବୁଠୁ ଦୁଃଖଦ କଥା ହେଲା ଯେ ସେ ଭାଇ ସୁଶାନ୍ତଙ୍କୁ ଶେଷ ବିଦାୟ ଦେଇପାରିନଥିଲେ । କୋରୋନା ଭାଇରସ ପାଇଁ ସେ ୟୁଏସରୁ ଭାରତ ଆସିପାରିନଥିଲେ । ହେଲେ ଏବେ ସେ ପରିବାର ଲୋକଙ୍କ ସହ ଅଛନ୍ତି ।