ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଯାବତ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଅନେକ ଲୋକଙ୍କ ବୟାନ ରେକର୍ଡ କରିସାରିଲେଣି । ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ପୁରା ପରିବାରକୁ ମଧ୍ୟ ପଚରାଉଚରା କରାଯାଇଛି । ସେହିପରି ଗୁରୁବାର ସୁଶାନ୍ତଙ୍କ କିଛି ଷ୍ଟାଫଙ୍କୁ ଇଡି ଅଫିସରେ ଉପସ୍ଥିତ ହେବାକୁ କୁହାଯାଇଥିଲା । ଆଉ ଏବେ ତାଙ୍କ ଏକ୍ସ ଆକାଉଣ୍ଟେଣ୍ଟ ରଜତ ମେୱାତିଙ୍କ ବୟାନ ରେକର୍ଡ କରିବେ ଇଡି । ଯାହାପାଇଁ ଶୁକ୍ରବାର ମୁମ୍ବାଇ ଇଡି ଅଫିସରେ ପହଞ୍ଚିଥିଲେ ରଜତ।
ପ୍ରକାଶ ଥାଉକି ରଜତଙ୍କୁ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଓ ଭିଣୋଇ ସିଦ୍ଧାର୍ଥ ଗାଳିଗୁଲଜ କରିଥିଲେ କିଛି ଟଙ୍କା ସମସ୍ୟାକୁ ନେଇ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
କଥାଟି ହେଲା ଯେ ସୁଶାନ୍ତଙ୍କ ଚାକର ରୂପେ ପଙ୍କଜ ନାମକ ଜଣେ ବ୍ୟକ୍ତି କାମ କରୁଥିଲେ । ଯାହାକୁ ପ୍ରିୟଙ୍କା ଚାକିରୀରୁ କାଢି ଦେଇଥିଲେ । ହେଲେ ଆକାଉଣ୍ଟ କାମ ବୁଝୁଥିବା ରଜତ କାହାରିକୁ କିଛି ନପଚାରି ପଙ୍କଜଙ୍କୁ ଦରମା ଦେଇଥିଲେ । ଏହାକୁ ଆଧାର କରି ପ୍ରିୟଙ୍କା ଓ ସିଦ୍ଧାର୍ଥଙ୍କଠୁ ଗାଳି ଶୁଣିଥିଲେ ସେ । ଖାଲି ଏତିକି ନୁହେଁ ତାଙ୍କୁ ପୋଲିସରେ ଦେବାକୁ ମଧ୍ୟ ଧମକ ଦେଇଥିଲେ ପ୍ରିୟଙ୍କା ।