ମୁମ୍ବାଇ: ପ୍ରତିଭାବାନ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଆଜି ବି ସମସ୍ତଙ୍କ ପାଇଁ ରହସ୍ୟ ପାଲଟିଛି । ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଅନେକ ଏଥିପାଇଁ ବଲିଉଡର ପରିବାରବାଦକୁ ଦାୟୀ କରିଥିବାବେଳେ କିଛି ସୁଶାନ୍ତଙ୍କ ସିବିଆଇ ଯାଞ୍ଚ ଦାବି କରିଛନ୍ତି । ତେବେ ଏସବୁ ଭିତରେ ସୁଶାନ୍ତଙ୍କ ପରିବାର ଏକ ସ୍ପଷ୍ଟୀକରଣ ଦେଇଛନ୍ତି ।
ଖବର ଅନୁସାରେ ସୁଶାନ୍ତଙ୍କ ମୃତ୍ୟୁରେ ପୋଲିସର ତଦନ୍ତ ଜାରି ରହିଛି । ଏପରି ସମୟରେ ତାଙ୍କ ବାପା କେକେ ସିଂହ ଏକ ଟ୍ବିଟର ଆକାଉଣ୍ଟ ଦ୍ବାରା ତଦନ୍ତର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ଟ୍ବିଟ୍ କରି ଖବର ଦେଉଛନ୍ତି । ଏହାସହ ସିବିଆଇ ଯାଞ୍ଚ ପାଇଁ ମଧ୍ୟ ଦାବି କରୁଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ସୋସିଆଲ ମିଡିଆରେ ମଧ୍ୟ ଆକାଉଣ୍ଟର ସ୍କ୍ରିନସଟ୍ ଭାଇରାଲ ହୋଇଛି । ତେବେ ଏନେଇ ସୁଶାନ୍ତଙ୍କ ପରିବାରର ନିକଟସ୍ଥ ଏକ ସୂତ୍ରରୁ ପ୍ରକାଶ କରାଯାଇଛି ଯେ ଏହି ଖବର ଗୁଜବ ଓ ମିଛ । ଟ୍ବିଟର ଆକାଉଣ୍ଟ ଫେକ୍ ଏବଂ ସୁଶାନ୍ତଙ୍କ ବାପାଙ୍କର କୌଣସି ଅଫିସିଆଲ ଆକାଉଣ୍ଟ ନାହିଁ ବୋଲି ସୂଚନା ଦିଆଯାଇଛି ।
ଖବର ସଂସ୍ଥା ପିଟିଆଇକୁ ଏକ ସାକ୍ଷାତକାର ଦେଇ ପରିବାର ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି । ଏଥିରେ କୁହାଯାଇଛି ଯେ ସୁଶାନ୍ତଙ୍କ ବାପା ଲୋକଙ୍କୁ ନେଇ ଏହି ପ୍ରକାର ଖବର ବିଶ୍ବାସ ନକରିବାକୁ ଅନୁରୋଧ କରିଛନ୍ତି । ଏପରି ଅନେକ ଗୁଜବ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହାକୁ ବିଶ୍ବାସ ନକରିବା ସହ କୌଣସି ପ୍ରକାର ଅଯଥା ବିବାଦ ସୃଷ୍ଟି କରନ୍ତୁ ନାହିଁ ବୋଲି କେକେ ସିଂହ ନିବେଦନ କରିଛନ୍ତି ।
ଅନ୍ୟପଟେ ସୁଶାନ୍ତଙ୍କ ସ୍ମୃତିରେ ପରିବାର ପକ୍ଷରୁ ଏକ ଫାଉଣ୍ଡେସନ ତିଆରି କରି ସିନେମା, ସାଇନ୍ସ ଓ ସ୍ପୋର୍ଟ କ୍ଷେତ୍ରରେ ଥିବା ପ୍ରତିଭାକୁ ଆଗକୁ ବଢିବାର ସୁଯୋଗ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାସହ ପାଟନାର ରାଜୀବନଗରରେ ଥିବା ତାଙ୍କ ପିଲାବେଳର ଘରକୁ ଏକ ସ୍ମାରକ ଭାବେ ବନାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ସୁଶାନ୍ତ ବ୍ୟବହାର କରୁଥିବା ସମସ୍ତ ସାମଗ୍ରୀ ଏବଂ ତାଙ୍କର ଫେଭରାଇଟ୍ ଜିନିଷ ସ୍ଥାନ ଦେବାକୁ ସ୍ଥିର କରିଛନ୍ତି ପରିବାରବର୍ଗ ।