ମୁମ୍ବାଇ: ଖୁବଶୀଘ୍ର ଏକାଠି ନଜର ଆସିବେ ସୁପରଷ୍ଟାର ହ୍ରିତିକ ରୋଶନ ଓ ଛୋଟେ ନୱାବ ସୈଫ ଅଲ୍ଲୀ ଖାନ । ଏହି ଯୋଡି ତାମିଲ ହିଟ୍ ଫିଲ୍ମ ‘ବିକ୍ରମ ବେଧା’ର ହିନ୍ଦୀ ରିମେକରେ ଅଭିନୟ କରିବେ । ହେଲେ ଇତିମଧ୍ୟରେ ଫିଲ୍ମକୁ ନେଇ ପୁଣି ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । କାରଣ ପୁଣି ଘୁଞ୍ଚିଲା ଫିଲ୍ମର ସୁଟିଂ । ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିବ ନାହିଁ।
ସୂଚନାନୁସାରେ, ଡେଲଟା କୋରୋନା ମାମଲାରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବା ପୂର୍ବରୁ ନିର୍ମାତାଙ୍କ ଯୋଜନା ପୁଣି ଥରେ ଖରାପ ହୋଇଯାଇଛି। ଯେଉଁଥିପାଇଁ ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ବିଳମ୍ବ ହେଉଛି।
ଏବେ ନୂଆ ଯୋଜନା ଅନୁଯାୟୀ ବିଦେଶରେ ଫିଲ୍ମର ସୁଟିଂ ଆରମ୍ଭ ହେବ। ମୁମ୍ବାଇ ସିଡ୍ୟୁଲ ପରେ କରିବାର ଯୋଜନା କରିଛନ୍ତି ମେକର୍ସ । ଗତକାଲି ଏହି ନିଷ୍ପତ୍ତି ନିଆଯାଇଛି। ପ୍ରକାଶ ଥାଉକି ଫିଲ୍ମରେ ଅଭିନେତା ଆର ମାଧବନଙ୍କ ଭୂମିକାରେ ଅଭିନୟ କରିବେ ସୈଫ । ଯିଏ ଏହାର ତାମିଲ ଭର୍ସନରେ ଜଣେ କାଉଣ୍ଟର ସ୍ପେଶାଲିଷ୍ଟ ଇନସ୍ପେକ୍ଟର ଥିଲେ ।
ସେହିପରି ହ୍ରିତିକ ତାମିଲ ଷ୍ଟାର ବିଜୟ ସେତୁପତିଙ୍କ ଭୂମିକାରେ ଦେଖାଯିବେ । ଯିଏ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିଥିଲେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ପୁଷ୍କର ଗାୟତ୍ରୀ ।