ମୁମ୍ବାଇ: କୋରୋନା ଭାଇରସରେ ସଂକ୍ରମିତ ହେବାରେ ଲାଗିଛନ୍ତି ଦେଶବାସୀ । 1 ଲକ୍ଷରୁ ଅଧିକ ଲୋକ ଏହି ସଂକ୍ରମଣରେ ସଂକ୍ରମିତ ହୋଇସାରିଲେଣି । ଆଉ 3 ହଜାରରୁ ଅଧିକ ଜୀବନ ନେଇସାରିଲାଣି ଏହି ଭୟାନକ ସଂକ୍ରମଣ । ଯାହାକୁ ଦୃଷ୍ଟିରେ ରଖି ଦେଶରେ ଏବେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲିଛି । ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି ପ୍ରବାସୀ ଶ୍ରମିକ ଓ ନିଜ ନିଜ ଘରରୁ ଦୂରରେ ରହି ପାଠ ପଢୁଥିବା ଛାତ୍ରଛାତ୍ରୀ । ସେପଟେ ପ୍ରବାସୀ ଶ୍ରମିକଙ୍କ ପାଇଁ ଯାହା ସମ୍ଭବ ତାହା କରିବାରେ ଲାଗିଛନ୍ତି ସେଲିବ୍ରିଟି । କିଛି ଷ୍ଟାର୍ସ ନିଜ ଅଫିସକୁ କ୍ବାରେନଣ୍ଟାଇନ ସେଣ୍ଟର କରିଥିବା ବେଳେ ଆଉ କିଛି ଗରିବ ଲୋକଙ୍କ ଘରକୁ ଆବଶ୍ୟକ ଜିନିଷ ପଠାଇବାରେ ବ୍ୟସ୍ତ ।
ସେପଟେ ବଲିଉଡର ଫେମସ ଅଭିନେତା ସୋନୁ ସୁଦ ମଧ୍ୟ ବାରମ୍ବାର ପ୍ରବାସୀ ମଜୁରିଆଙ୍କୁ ନିଜ ନିଜ ଘରେ ପହଞ୍ଚାଇବାରେ ସାହାଯ୍ୟ କରୁଛନ୍ତି । ହେଲେ ଏବେ ସେ ଏକ ଟ୍ବିଟକୁ ନେଇ ଚର୍ଚ୍ଚାରେ । ନିକଟରେ ତାଙ୍କୁ ଜଣେ ଛାତ୍ର ଟ୍ବିଟ କରିଥିଲେ ।
ଲକଡାଉନ ପାଇଁ ମୁମ୍ବାଇରେ ଫସି ରହିଥିବା ଛାତ୍ର ଆକାଶ ତିୱାରୀ ସୋନୁଙ୍କ ସାହାଯ୍ୟ ପାଇଁ ଗୁହାରି କରି ଟ୍ବିଟରେ ଲେଖିଛନ୍ତି, ‘ସୋନୁ ସାର ମୁଁ ଜଣେ ଛାତ୍ର ଫସିଯାଇଛି । ମୋତେ କେହି ମଧ୍ୟ ସାହାଯ୍ୟ କରୁନାହାଁନ୍ତି । ମୋ ମା' କିଛି ଦିନ ହେବ ଅସୁସ୍ଥ ଅଛନ୍ତି ଆଉ ମୋ ପାଇଁ ଚିନ୍ତିତ ମଧ୍ୟ । ମୋତେ ଉତ୍ତରପ୍ରଦେଶ ଗୋରଖପୁର ଯିବାର ଅଛି । ଆପଣ ମୋର ଶେଷ ଆଶା ।’ ଛାତ୍ର ଜଣଙ୍କ ଟ୍ବିଟରେ ନିଜ ଫୋନ ନଂ ମଧ୍ୟ ଦେଇଛନ୍ତି ।
ଟ୍ବିଟର ଜବାବରେ ସୋନୁ ଲେଖିଛନ୍ତି, ‘ଆପଣ ଫୋନ କରି ମା'ଙ୍କୁ କୁହକି ଆପଣଙ୍କୁ ସେ ଖୁବଶୀଘ୍ର ସାକ୍ଷାତ କରିବେ ।’ ତାଙ୍କ ଏହି ଟ୍ବିଟକୁ ପ୍ରଶଂସା କରିଛନ୍ତି ଫ୍ୟାନ୍ସ ।