ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପଚରାଉଚରା କରିଛି । ଏହି ସମୟରେ ଶ୍ରଦ୍ଧାଙ୍କ ପିତା ତଥା ଅଭିନେତା ଶକ୍ତି କପୁରଙ୍କୁ ସୁଶାନ୍ତଙ୍କ ଜୀବନ ଦ୍ବାରା ଅନୁପ୍ରାଣିତ ଏକ ଆଗାମୀ ଚଳଚ୍ଚିତ୍ରରେ ନାର୍କୋଟିକ୍ସ ଅଫିସର ଭାବରେ କାଷ୍ଟ କରାଯାଇଛି ।
ଫିଲ୍ମ 'ନ୍ୟାୟ ଦ: ଜଷ୍ଟିସ୍' ରେ ଶକ୍ତି କପୁର ଜଣେ ନାର୍କୋ ଅଫିସରଙ୍କ ଭୂମିକାରେ ଅଭିନୟ କରିବେ ।
ଏହି ସୂଚନା ଦେଇ ଫିଲ୍ମର ମୁଖ୍ୟ ଅଭିନେତା ଜୁବେରା କେ. ଖାନ କହିଛନ୍ତି ଯେ, ଅମନ ବର୍ମା ଇଡି ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି, ଶକ୍ତି କପୁର ସାର୍ ନାର୍କୋଟିକ୍ସ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି ଏବଂ ସୁଧା ଜୀ ଏହି ଫିଲ୍ମରେ ସିବିଆଇ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି । ଏଥିସହିତ ଅଭିନେତ୍ରୀ ଶ୍ରେୟା ଶୁକ୍ଲା ଉର୍ବଶୀ ନାମକ ଏକ ଚରିତ୍ରରେ ଅଭିନୟ କରିବେ, ଯାହା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇଛି ।
ଏହି ଫିଲ୍ମରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଚରିତ୍ର ମଧ୍ୟ ଦେଖିବାକୁ ମିଳିବ । ବର୍ତ୍ତମାନ ସୁଟିଂ ଆରମ୍ଭ ହେବାକୁ ଯାଉଛି ।
ଦିଲୀପ ଗୁଲାଟିଙ୍କ ନିର୍ଦ୍ଦେଶିତ 'ନ୍ୟାୟ ଦ: ଜଷ୍ଟିସ୍' ଚଳଚ୍ଚିତ୍ରରେ ଚାରୋଟି ଗୀତ ରହିଛି । ଏହି ଫିଲ୍ମର ସୁଟିଂ ଅକ୍ଟୋବର ମଧ୍ୟଭାଗରେ ଆରମ୍ଭ ହେବାର ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ