ବାରାଣସୀ: ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ କିଛି ଦିନ ହେବ ବାରାଣସୀରେ ଅଛନ୍ତି । ସେ ନିଜ ଆଗାମୀ ଫିଲ୍ମ ‘ଅତରଙ୍ଗୀ ରେ’ ସୁଟିଂ ପାଇଁ ବାରଣାସୀ ଯାଇଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିବେ ସାଉଥ ସୁପରଷ୍ଟାର ଧନୁଷ। ସେହିପରି ଫିଲ୍ମରେ ଅତିଥି ଅଭିନେତା ରୂପେ ନଜର ଆସିବେ ଖିଲାଡି ଅକ୍ଷୟ କୁମାର। ହେଲେ ଇତିମଧ୍ୟରେ ବିବାଦ ଘେରରେ ଆସିଯାଇଛନ୍ତି ସାରା । ଏବେ ତାଙ୍କ ଧର୍ମ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆସନ୍ତୁ ଜାଣିବା ପୁରା ମାମଲା...
କଥାଟି ହେଲା ଯେ ବାରଣାସୀରେ ଥିବା ପ୍ରସିଦ୍ଧ କାଶୀ ବିଶ୍ବନାଥ ମନ୍ଦିର ଦର୍ଶନ କରିବାକୁ ମା' ତଥା ଅମୃତା ସିଂଙ୍କ ସହ ପହଞ୍ଚିଥିଲେ ସାରା। ହେଲେ ତାଙ୍କ ମନ୍ଦିରରେ ପ୍ରବେଶ କରିବା ସେଠାର କିଛି ସ୍ଥାନୀୟ ପଣ୍ଡିତ ଓ ସନ୍ଥଙ୍କୁ ପସନ୍ଦ ଆସିନଥିଲା। ଯାହା ଉପରେ ସେମାନେ ଆପତ୍ତି ପ୍ରକାଶ କରିଛନ୍ତି। ଏବେ ସବୁ ମହଲରେ ପ୍ରଶ୍ନ ଜୋର ଧରିଛି ଯେ ସେ ଅଣ-ହିନ୍ଦୁ ହୋଇ କାହିଁକି ମନ୍ଦିରରେ ପ୍ରବେଶ କଲେ। ସେ ଗତ ରବିବାର ଗଙ୍ଗା ଆରତୀରେ ମଧ୍ୟ ସାମିଲ ହୋଇଥିଲେ।
ତାଙ୍କ ମନ୍ଦିର ଯିବା ଉପରେ ଆପତ୍ତି ପ୍ରକାଶ କରି କାଶୀ ବିକାଶ ସମିତି ତାଙ୍କୁ ଅଣ-ହିନ୍ଦୁ କହିଛି। ସମିତିର ମହାସଚିବ ଚନ୍ଦ୍ର ଶେଖର କପୁର ଏହି ମାମଲାରେ କହିଛନ୍ତି ଯେ ସାରାଙ୍କ ମନ୍ଦିରରେ ପ୍ରବେଶ କରିବା ପରମ୍ପରା ଓ ସ୍ଥାପିତ ମାନଦଣ୍ଡ ବିରୋଧୀ। ଏହାଦ୍ବାରା ମନ୍ଦିରର ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଏଠାରେ ସାଇନ ବୋର୍ଡରେ ସ୍ପଷ୍ଟ ରୂପେ ଲେଖାଯାଇଛି ଯେ ଅଣ-ହିନ୍ଦୁଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ।
କିଛି ପୂଜାରୀ ଭଲ ଦକ୍ଷିଣା ଓ ମାଗଣାରେ ପ୍ରଚାର କରିବା ପାଇଁ ମନ୍ଦିରର ମାନଦଣ୍ଡକୁ ଉଲ୍ଲଙ୍ଘନ କରିଛନ୍ତି । କାଶୀ ବିକାଶ ସମିତି ଏବେ ମନ୍ଦିରର ଯାଞ୍ଚ କରିବା ସହ ଦାୟିତ୍ବହୀନ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛି ବୋଲି କହିଛନ୍ତି ମହାସଚିବ ।