ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ରାଧେ’କୁ ଏବର୍ଷ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଗତ ବର୍ଷ କୋରୋନା ସଙ୍କଟ ପାଇଁ ଅଧାରେ ବନ୍ଦ ଥିଲା ଫିଲ୍ମର ସୁଟିଂ । ଯାହା ପାଇଁ ସଲମାନଙ୍କ ନିର୍ଦ୍ଧାରିତ ଦିନ ତଥା ଇଦରେ ରିଲିଜ ହୋଇପାରିନଥିଲା ଫିଲ୍ମ । କାରଣ କୋରୋନା ପ୍ରକୋପକୁ ଆଧାର କରି ଦେଶରେ ସିନେମାହଲକୁ ବନ୍ଦ କରିଦିଆଯାଇଥିଲା । ଇତିମଧ୍ୟ ଫିଲ୍ମ ରିଲିଜକୁ ନେଇ ନୂଆ ଖବର ଶୁଣିବାକୁ ମିଳୁଛି ।
ତେବେ କଥାଟି ହେଲା ଯେ ଆଲିୟା ଭଟ୍ଟଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’କୁ ଏବର୍ଷ ଇଦରେ ରିଲିଜ କରାଯିବାକୁ ଯୋଜନା କରୁଛନ୍ତି ମେକର୍ସ । ଯଦି ଏମିତି ହେଲା ତାହେଲେ ବକ୍ସ ଅଫିସରେ ସଲମାନଙ୍କ ଫିଲ୍ମ ସହ ମୁହାଁମୁହିଁ ହେବ ଆଲିୟାଙ୍କ ଫିଲ୍ମ। ଯାହାଦ୍ବାରା ହୁଏତଃ ଦୁଇ ଫିଲ୍ମ ମେକର୍ସଙ୍କୁ କ୍ଷତି ସହିବାକୁ ପଡିପାରେ । କାରଣ ସଲମାନଙ୍କ ଫ୍ୟାନ୍ସ ସଂଖ୍ୟା ଆକାଶ ଛୁଆଁ ହୋଇଥିବା ବେଳେ ଆଲିୟାଙ୍କ ମଧ୍ୟ କମ୍ ନାହାଁନ୍ତି ଫ୍ୟାନ୍ସ ।
ପ୍ରକାଶ ଥାଉକି ‘ରାଧେ’ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ପ୍ରଭୁଦେବା ତୁଲାଇଥିବା ବେଳେ ‘ଗଙ୍ଗୁବାଇ କାଠିଆୱାଡି’ ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଦ୍ବାରା ନିର୍ମାଣ କରାଯାଇଛି ।