ମୁମ୍ବାଇ: ବିବାଦରେ ରହିବାକୁ ସବୁବେଳେ ଭଲ ପାଆନ୍ତି ବି-ଟାଉନର କୁଇନ କଙ୍ଗନା ରଣାୱତ । ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ପରଠୁ ସେ ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କ ଠୁ ନେଇ ରାଜନେତାଙ୍କୁ କଡା ଜବାବ ଦେଇ ଆସୁଛନ୍ତି ।
ନିକଟରେ କଙ୍ଗନା ଶିବସେନା ନେତା ସଞ୍ଜୟ ରାଉତଙ୍କ ଏକ ଟ୍ବିଟର ଜବାବ ଦେଇ କହିଥିଲେ ଯେ ମୁମ୍ବାଇରେ ବର୍ତ୍ତମାନ କାଶ୍ମୀର ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଠାରେ ରହିବା କଷ୍ଟଦାୟକ । ଏହାସହ ସେ ମୁମ୍ବାଇ ପୋଲିସର କାର୍ଯ୍ୟକୁ ମଧ୍ୟ ନିନ୍ଦା କରିଥିଲେ । ଏହି ପ୍ରତିକ୍ରିୟା ପରେ ତାଙ୍କର ଖୁବ୍ ସମାଲୋଚନା ହୋଇଛି । ଯାହାପରେ ତାଙ୍କୁ କଡା ଜବାବ ଦେଇଥିଲେ ସଞ୍ଜୟ ।
ଇତିମଧ୍ୟରେ ୟୁନିଅନ ମିନିଷ୍ଟର ଅଫ ଷ୍ଟେଟ ଫର ସୋସିଆଲ ଜଷ୍ଟିସ୍ ରାମଦାସ ଅଠାୱଲେ କହିଛନ୍ତି ଯେ, ଯଦି କେହି ତାଙ୍କୁ ବିରୋଧ କରିବାକୁ ଚେଷ୍ଟା କରନ୍ତି ତେବେ ରିପବ୍ଲିକାନ ପାର୍ଟି କଙ୍ଗନାଙ୍କୁ ସୁରକ୍ଷା ଦେବ । ଗଣତନ୍ତ୍ର ଦେଶରେ ସମସ୍ତଙ୍କ ମତାମତ ଦେବାର ଅଧିକାର ଅଛି । କଙ୍ଗନା ମୁମ୍ବାଇକୁ ସମାଲୋଚନା କରିନାହାଁନ୍ତି ବରଂ ରାଜ୍ୟ ସରକାର ତାଙ୍କୁ ସମାଲୋଚନା କରିଥିବାରୁ ମୁମ୍ବାଇରେ ରହିବାର ତାଙ୍କର କୌଣସି ଅଧିକାର ନାହିଁ ବୋଲି ଏକ ଆଭିମୁଖ୍ୟ ଗ୍ରହଣ କରିବା ଗଣତାନ୍ତ୍ରିକ ବିରୋଧୀ । ଭାରତୀୟ ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା ଅଧିକାର ଅନୁଯାୟୀ କଙ୍ଗନା ମୁମ୍ବାଇରେ ରହିବାର ଅଧିକାର ପାଇଛନ୍ତି ।