ହାଇଦ୍ରାବାଦ: ପପୁଲାର ସାଉଥ ଆକ୍ଟର ବିଜୟ ସେଥୁପତି ନିଜ ଆଗାମୀ ଫିଚର ଫିଲ୍ମ ‘800’କୁ ନେଇ ଚର୍ଚ୍ଚାରେ । ସେ ଫିଲ୍ମରେ ଶ୍ରୀଲଙ୍କା କ୍ରିକେଟର ମୁଥିଆ ମୁରଲିଧରନ ଭୂମିକାରେ ଅଭିନୟ କରିବେ ବୋଲି ଘୋଷଣା କରିଥିଲେ । ଫିଲ୍ମଟି ମୁଥିଆଙ୍କ ବାୟୋପିକ । ହେଲେ ଫିଲ୍ମ ଘୋଷଣା ହେବା ପରଠୁ ସେ ସମାଲୋଚନାର ଶିକାର ହୋଇଆସୁଛନ୍ତି । ଖାଲି ଏତିକି ନୁହେଁ ତାଙ୍କ ନାବାଳିକା ଝିଅଙ୍କୁ ଦୁଷ୍କର୍ମ ଧମକ ମଧ୍ୟ ସୋସିଆଲ ମିଡିଆରେ ଦିଆଯାଇଛି । ଯାହାକୁ ନେଇ ବର୍ତ୍ତମାନ ସେ ଚିନ୍ତିତ ଥିଲେ । ଖୁସିର କଥା ହେଲା ଯେ ଏପରି ବିବାଦୀୟ ଧମକ ଦେଇଥିବା ୟୁଜର ଆକାଉଣ୍ଟକୁ ବର୍ତ୍ତମାନ ସସ୍ପେଣ୍ଡ କରିଦିଆଯାଇଛି ।
ନିକଟରେ ଗୁଜୁରାଟର ଜଣେ ଯୁବକ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇ ଗିରଫ ହୋଇଥିଲା । ଆଉ ଏବେ ବିଜୟଙ୍କ ଝିଅଙ୍କୁ ଏପରି ଧମକ ମିଳିଛି । ଆଉ ବିଜୟଙ୍କୁ ଖୁବ୍ ଟ୍ରୋଲ ମଧ୍ୟ କରାଯାଉଛି ।
ସୋମବାର ସନ୍ଧ୍ୟାରେ ବିଜୟ ଏହାର ସୂଚନା ସୋସିଆଲ ମିଡିଆରେ ଦେଇଥିଲେ । ଯାହାପରେ ତାଙ୍କ ଫ୍ୟାନ୍ସ ସେହି ୟୁଜର ବିରୋଧରେ ସ୍ବର ଉତ୍ତୋଳନ କରି ଗିରଫ ଦାବି କରୁଛନ୍ତି । ଲୋକଙ୍କ ଏପରି ଦାବିକୁ ଦୃଷ୍ଟିରେ ରଖି ଟ୍ବିଟର ଇଣ୍ଡିଆ ସେହି ୟୁଜରର ଆକାଉଣ୍ଟକୁ ସସ୍ପେଣ୍ଡ କରିଛି ।
ପ୍ରକାଶ ଥାଉକି ଏପରି ବିବାଦ ଦେଖି ମୁରଲିଧରନ ଏକ ଷ୍ଟେଟମେଣ୍ଟ ଜାରି କରି ବିଜୟଙ୍କୁ ‘800’ ପ୍ରୋଜେକ୍ଟରୁ ବାହାରିବାକୁ ଅନୁରୋଧ କରିଥିଲେ । ସେପଟେ ମୁରଲିଧରନଙ୍କ ଷ୍ଟେଟମେଣ୍ଟ ଉପରେ ଜବାବ ଦେଇ ବିଜୟ କହିଛନ୍ତି ଯେ ବର୍ତ୍ତମାନ ଏହି ମାମଲା ଶେଷ ହୋଇଛି । ଆମେ ବିଷୟରେ ଚିନ୍ତିତ ଥିବାରୁ ଆପଣଙ୍କୁ ଧନ୍ୟବାଦ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ