ମୁମ୍ବାଇ: ବିଗ ବିଗ ଅମିତାଭ ବଚ୍ଚନ ଓ ବଲିଉଡର ହିମ୍ୟାନ ଧର୍ମେନ୍ଦ୍ରଙ୍କ କ୍ଲାସିକ କମେଡି ଫିଲ୍ମ ‘ଚୁପକେ ଚୁପକେ’ର ରିମେକ ଖୁବଶୀଘ୍ର ପରଦାରେ ଦେଖିବାକୁ ଯାଉଛନ୍ତି ଦର୍ଶକ । ଲୋକପ୍ରିୟ ନିର୍ମାତା ଲଭ ରଞ୍ଜନ ଓ ଭୂଷଣ କୁମାର ଏହାର ରିମେକ ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି । ସବୁଠାରୁ ବଡ କଥା ହେଲା କି ଫିଲ୍ମରେ ପରିମଲ ତ୍ରିପାଠୀ ଭୂମିକାରେ ‘ମେଡ ଇନ ଚାଇନା’ର ଆକ୍ଟର ରାଜକୁମାର ରାଓ ନଜର ଆସିବେ । ପୂର୍ବରୁ ଏହି କମେଡି ଭୂମିକାରେ ଅଭିନୟ କରିଥିଲେ ଧର୍ମେନ୍ଦ୍ର ।
ଏଯାବତ ‘ଚୁପକେ ଚୁପକେ’ ରିମେକର ଟାଇଟଲ ଫାଇନାଲ ହୋଇନାହିଁ । ସାଜିଦ-ଫରହାଦ ଫିଲ୍ମର ସ୍କ୍ରିପ୍ଟିଂ କରୁଛନ୍ତି । ଋଷିକେଶ ମୁଖାର୍ଜୀଙ୍କ ଫିଲ୍ମରେ ସ୍ବର୍ଗୀୟ ଅଭିନେତା ଓମପ୍ରକାଶଙ୍କ ଦ୍ବାରା ଅଭିନୟ କରାଯାଇଥିବା ରୋଲରେ କମେଡି ଅଭିନେତା ପରେଶ ରାୱଲ ନଜର ଆସିବେ । ସେହିପରି ଏପର୍ଯ୍ୟନ୍ତ ଫିଲ୍ମରେ ଅମିତାଭ, ଶର୍ମିଲା ଟାଗୋର ଓ ଜୟା ବଚ୍ଚନଙ୍କ ଭୂମିକାରେ କେଉଁ ଷ୍ଟାର୍ସ ନଜର ଆସିବେ ତାହାର ମଧ୍ୟ କୌଣସି ଘୋଷଣା ହୋଇନାହିଁ ।
ପ୍ରକାଶ ଥାଉକି, ଗତ ସେପ୍ଟେମ୍ବରରେ ଏହି ଖବର ଜୋର ଧରିଥିଲା ଯେ ରାଜକୁମାରଙ୍କୁ ଏହି ଫିଲ୍ମ ପାଇଁ 9 କୋଟି ଟଙ୍କା ଫିସ ରୂପେ ଦିଆଯିବ । ଯାହା ତାଙ୍କର ଫିଲ୍ମ କ୍ୟାରିଅରରେ ଏଯାବତର ସବୁଠାରୁ ଅଧିକା ଫିସ୍ । କାରଣ ସେ ପୂର୍ବରୁ କମ ଫିସରେ ଅନେକ ସୁପରହିଟ୍ ଫିଲ୍ମ ବଲିଉଡକୁ ଦେଇସାରିଛନ୍ତି ।
ଚଳିତ ବର୍ଷ ରାଜକୁମାରଙ୍କ ତିନୋଟି ଫିଲ୍ମ ରିଲିଜ ହୋଇସାରିଛି । ପ୍ରଥମେ ତାଙ୍କ ଫିଲ୍ମ ‘ଏକ ଲଡ଼କୀ କୋ ଦେଖା ତୋ ଐସା ଲଗା’ । ଯେଉଁଥିରେ ତାଙ୍କ ସହ ଅନିଲ କପୁର ଓ ସୋନମ କପୁର ନଜର ଆସିଥିଲେ । ଏହାପରେ ରିଲିଜ ହୋଇଥିଲା ତାଙ୍କ ଚର୍ଚ୍ଚିତ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ । ଏହି ଫିଲ୍ମରେ ଦର୍ଶକ ପୁଣିଥରେ ରାଜକୁମାର ଓ କଙ୍ଗନା ରଣାୱତଙ୍କ କେମେଷ୍ଟ୍ରି ଦେଖିବାକୁ ପାଇଥିଲେ । ଆଉ ଏବେ ନିକଟରେ ରିଲିଜ ହୋଇଯାଇଛି ‘ମେଡ ଇନ ଚାଇନା’ । ପ୍ରଥମଥର ଏହି ଫିଲ୍ମରେ ସେ ମୌନୀ ରୟଙ୍କ ସହ ରୋମାନ୍ସ କରିଥିଲେ ।