ମୁମ୍ବାଇ: ଖୁବ୍ କମ ସମୟରେ ନିଜ ଶାନଦାର ଅଭିନୟ ଜରିଆରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ନିଜ ଦିୱାନା କରିଛନ୍ତି ଲୋକପ୍ରିୟ ଅଭିନେତା ରାଜକୁମାର ରାଓ । କଠୋର ପରିଶ୍ରମ ବଳରେ ଲକ୍ଷ ଲକ୍ଷ ହୃଦୟରେ ରାଜ କରୁଛନ୍ତି ରାଜକୁମାର । ବଲିଉଡର ନ୍ୟୁଟନ ଭାବେ ଜଣାଶୁଣା ରାଜକୁମାରଙ୍କ ଆଜି ହେଉଛି 36ତମ ଜନ୍ମଦିନ । ତାଙ୍କର ଏହି ଜନ୍ମଦିନରେ ଚାଲନ୍ତୁ ଜାଣିବା କିଛି ଖାସ୍ କଥା ।
ଖେଳକୁଦ ବୟସରୁ ହିଁ ବଲିଉଡରେ ରାଜ କରିବାର ସ୍ବପ୍ନ ଦେଖିଥିଲେ ରାଜକୁମାର । ନିଶାକୁ ପେଶା କରିବା ପାଇଁ ପାଠ ପଢିବା ସମୟରେ ହିଁ ଆରମ୍ଭ କରିଥିଲେ ଥିଏଟରରେ କାମ । ପରେ ଫିଲ୍ମ ଲଭ ସେକ୍ସ ଔର ଧୋକା ଜରିଆରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ । ରାଗିନୀ ଏମଏମଏସ ଫିଲ୍ମ ତାଙ୍କ କ୍ୟାରିୟରକୁ ଦେଇଥିଲା ନୂଆ ମୋଡ ।
ହେଲେ ତାଙ୍କ ବଲିଉଡ ଯାତ୍ରା ଏତେ ସହଜ ନଥିଲା । ଗୋରା ରଙ୍ଗ ଓ ବଡି ନଥିବାରୁ ଫିଲ୍ମର ଅଫର ମିଳୁନଥିବା ଅନେକ ଥର ସାକ୍ଷାତକାରରେ କହିଛନ୍ତି ରାଜକୁମାର । କିନ୍ତୁ ସେ କେବେ ହାର ମାନିନଥିଲେ । ଅଡିଶନ ଉପରେ ଅଡିଶନ ଦେଇ ସେ ଆଜି ସଫଳତାର ସ୍ବାଦ ଚାଖି ପାରିଛନ୍ତି । କେବେ ସିରିୟସ ଲୁକ ତ କେବେ ମଜାଦାର ଅନ୍ଦାଜରେ ସମସ୍ତଙ୍କୁ କରିଛନ୍ତି ଏଣ୍ଟରନେମେଣ୍ଟ । ଫିଲ୍ମ ‘ବରେଲି କି ବରଫି’ରେ ମିସ୍କ ରୋଲ କରିଥିବା ବେଳେ ‘ଟ୍ରାପ’ରେ ଦର୍ଶକଙ୍କୁ ବିପଦରୁ କିପରି ବଞ୍ଚାଯାଏ ଶିଖାଇଥିଲେ । ଆଉ କେବେ ‘ସ୍ତ୍ରୀ’ରେ ଶ୍ରଦ୍ଧା କପୁରଙ୍କ ପ୍ରେମରେ ପାଗଳ ନଜର ଆସିଥିଲେ ତ କେବେ ‘ନ୍ୟୁଟନ’ ସାଜି ଦର୍ଶକଙ୍କ ମସ୍ତିଷ୍କ ସହ ଖେଳିଥିଲେ । ଏହିପରି ସେ ସବୁ ଅନ୍ଦାଜ ପରଦାରେ ଦେଖାଇସାରିଲେଣି ।
ନିକଟରେ ସେ ମାତା-ପିତାଙ୍କୁ ହରାଇଥିଲେ । ଯାହା ତାଙ୍କ ଜୀବନର ସବୁଠୁ ବଡ ଦୁଃଖ ଥିଲା । ହେଲେ ଏହି ଦୁଃଖଭରା ସମୟରେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ପତ୍ରଲେଖା ତାଙ୍କ ସାହାରା ସାଜିଥିଲେ । ନିଜ ଲଭ ଲାଇଫକୁ ନେଇ ସବୁବେଳେ ଖୁସିଥିବା ନଜର ଆସନ୍ତି ରାଜକୁମାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ