ମୁମ୍ବାଇ: ଫେମସ ନିର୍ମାତା ମହେଶ ଭଟ୍ଟଙ୍କ ପିଛା ଛାଡୁନି ବିବାଦ । ଏବେ ପୁଣିଥରେ ମହେଶଙ୍କ ନାଁରେ ଆଉ ଏକ ଅଭିଯୋଗ । ମହେଶ ବଲିଉଡରେ ଡ୍ରଗ୍ସ ଏବଂ ଝିଅଙ୍କ ବେପାର କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଖୋଦ ତାଙ୍କ ସମ୍ପର୍କୀୟ ଅଭିନେତ୍ରୀ ଲୁବିଏନା ଲୋଧ । ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ମେହଶଙ୍କ ପର୍ଦା ଫାଶ କରିଛନ୍ତି । ଆଉ ତାଙ୍କୁ ବଲିଉଡର ଡନ୍ ବୋଲି କହିଛନ୍ତି । ଖାଲି ଏତିକି ନୁହେଁ ଲୁବିଏନା ତାଙ୍କ ଭଣଜା ତଥା ବିଶେଷ ଫିଲ୍ମ ପ୍ରଡକ୍ସନ ହାଉସର ହେଡ ଅଫ୍ ପ୍ରଡକ୍ସନ ସୁମିତ ସଭରୱାଲଙ୍କ ଉପରେ ମଧ୍ୟ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।
ଲୁବିଏନା ଭିଡିଓରେ କହୁଛନ୍ତି ‘ମୁଁ ସୁମୀତଙ୍କୁ ବିବାହ କରିଥିଲି । ଆଉ ଏବେ ତାଙ୍କ ବିରୋଧରେ ଛାଡପତ୍ର ପାଇଁ ଫାଇଲ୍ କରିଛି । ବିବାହ ପରେ ମତେ ଜଣାପଡିଥିଲା ଯେ ସୁମିତ କଳାକାରମାନଙ୍କୁ ଡ୍ରଗ୍ସ ଯୋଗାଉଥିଲେ । ଅଭିନେତ୍ରୀ ଅମାୟରା ଏବଂ ସପନା ପାବ୍ବୀଙ୍କ ଭଳି ଅଭିନେତ୍ରୀ ତାଙ୍କଠୁ ଡ୍ରଗ୍ସ ନେଉଥିଲେ । ତାଙ୍କ ଫୋନରେ ଝିଅଙ୍କ ଅଶ୍ଳୀଳ ଫଟୋ ମଧ୍ୟ ମୁଁ ଦେଖିଛି । ଏହି ସବୁ ଫଟୋ ସେ ବଲିଉଡ ନିର୍ଦ୍ଦେଶକଙ୍କୁ ଦେଖାଇ ଝିଅ ସପ୍ଲାଇ କରୁଥିଲେ । ଯାହା ବିଷୟରେ ମହେଶ ସବୁ ଜାଣିଥିଲେ । ହେଲେ ସେ ମଧ୍ୟ ସୁମିତଙ୍କୁ ସମର୍ଥନ କରୁଥିଲେ । ’ତେବେ ଏହି ଭିଡିଓକୁ ନେଇ ଏବେ ବଲିଉଡରେ ଚହଳ ସୃଷ୍ଟି ହୋଇଛି । ସେପଟେ ଏହି ଭିଡିଓ ଭାଇରାଲ ହେବା ପରେ ମହେଶଙ୍କ ଓକିଲଙ୍କ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଲୁବିଏନାଙ୍କ କଥାଖୁ ମିଥ୍ୟା କହି ଖଣ୍ଡନ କରିଛନ୍ତି ତାଙ୍କ ଓକିଲ । ସେ ଏହି ମାମଲାରେ ଲିଗାଲ୍ ଆକ୍ସନ ନେବେ ବୋଲି କହିଛନ୍ତି ।ଏବର୍ଷ ଲାଗୁଛି ସେଲିବ୍ରିଟି ପରସ୍ପରକୁ ନେଇ ଖପ୍ପା । କାରଣ ଗୋଟିଏ ପରେ ଗୋଟିଏ ମାମଲା ବଲିଉଡକୁ ନେଇ ଦେଖିବାକୁ ମିଳୁଛି । କେତେବେଳେ କଙ୍ଗନା ରଣାୱତ ସବୁ ସେଲିବ୍ରିଟିଙ୍କ ଉପରେ ପରିବାରବାଦ, ଡ୍ରଗ୍ସ କାରବାର ଅଭିଯୋଗ କରୁଛନ୍ତି ତ ଅନ୍ୟ ଅଭିନେତ୍ରୀ ନିର୍ମାତଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣୁଛନ୍ତି । ଏବେ ପୁଣିଥରେ ମହେଶଙ୍କୁ ନେଇ ଲାଗିଛି ଏହି ସାଙ୍ଘାତିକ ଅଭିଯୋଗ ।