ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପାଇଁ ବଲିଉଡକୁ ଦାୟୀ କରି କିଛି ଦିନ ହେବ ଚର୍ଚ୍ଚାରେ କଙ୍ଗନା ରଣାୱତ । ସେ ନିଜର ଅନେକ ସୋସିଆଲ ମିଡିଆ ପୋଷ୍ଟରେ ବଲିଉଡରେ ଚାଲିଥିବା ପରିବାରବାଦକୁ ନେଇ ମୁହଁ ଖୋଲିସାରିଲେଣି । ଏବେ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ ଆସିଛନ୍ତି । ଏବେ ସେ ଫେମସ କଷ୍ଟ୍ୟୁମ ଷ୍ଟାଇଲିଷ୍ଟ ଅନାଇତା ଶ୍ରଫ ଅଦଜାନିୟାଙ୍କୁ ଟାର୍ଗେଟ କରିଛନ୍ତି । ଅନାଇତା ଭୋଗ ଇଣ୍ଡିଆର ନିର୍ଦ୍ଦେଶିକା ମଧ୍ୟ ।
କଙ୍ଗନା ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ବ୍ୟାନ କରାଯିବା ସତ୍ତ୍ବେ ତାଙ୍କ ଫଟୋ ବ୍ୟବହାର କରାଯାଇ ନିଜ ମାଗାଜିନର ପ୍ରଚାର କରିଛନ୍ତି ଅନାଇତା । କଙ୍ଗନା ଟ୍ବିଟରରେ ଏହି କଥାର ଖୁଲାସା କରିଛନ୍ତି । ଆଉ ଜଣାଇଛନ୍ତି ଯେ ଭୋଗ ଇଣ୍ଡିଆ ତାଙ୍କୁ ବ୍ୟାନ କରିଥିଲା କାରଣ ଭୋଗ ନିର୍ଦ୍ଦେଶିକା ଅନାଇତା ଫିଲ୍ମ ନିର୍ମାତା କରନ ଜୋହରଙ୍କ ଖାସ୍ ବନ୍ଧୁଥିଲେ । ତେଣୁ ତାଙ୍କୁ ବ୍ୟାନ କରାଯାଇଥିଲା ।
ସେହିପରି କଙ୍ଗନା ଏକ ବୟାନରେ ମଧ୍ୟ କହିଛନ୍ତି, 2008ରେ ତାଙ୍କ ଅଭିନୀତ ଫିଲ୍ମ ‘ଫ୍ୟାଶନ’ ରିଲିଜ ସମୟରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ଏକ କଭର ଫଟୋସୁଟ କରିଥିଲେ । ହେଲେ କଭର ପେଜରେ ରଖିବାକୁ ତାଙ୍କୁ ମନା କରଯାଇଥିଲା । ଆଉ ତାଙ୍କୁ କୁହାଯାଇଥିଲା ସେ ଜଣେ ଏ-ଲିଷ୍ଟର ନୁହଁନ୍ତି । 2014ରେ ତାଙ୍କୁ ଭୋଗ ଇଣ୍ଡିଆ ତରଫରୁ କଭର ପାଇଁ ପୁଣି ସମ୍ପର୍କ କରାଯାଇଥିଲା । ସେହି ସମୟରେ ମଧ୍ୟ ଅନାଇତା ତାଙ୍କୁ ଷ୍ଟାଇଲ କରିବା ପାଇଁ ମନା କରିଦେଇଥିଲେ । ଆଉ ନିଜର ସହଯୋଗୀଙ୍କୁ ତାଙ୍କୁ ଷ୍ଟାଇଲ କରିବାକୁ ପଠାଇଥିଲେ । ଯାହାର ସୁଟିଂ ସେ ମୁକେଶ ମିଲ୍ସରେ କରିଥିଲେ ।
ଯେତେବେଳେ ସେ ହଠାତ୍ 2015ରେ ଟପ ଅଭିନେତ୍ରୀଙ୍କ ମଧ୍ୟରେ ଗଣାଗଲେ ସେହି ସମୟରେ ତାଙ୍କୁ କୁହାଯାଇଥିଲା ଯଦି ସେ ତାଙ୍କ ସହ କଭରରେ କାମ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଭୋଗ ଇଣ୍ଡିଆ ବ୍ୟୁଟି ଆୱାର୍ଡ ଶୋର ସାମିଲ ହେବା ପଡିବ । ଏଥିରେ ଯୋଗ ଦେବା ପାଇଁ ତାଙ୍କୁ ଅନ୍ୟ ଫିଲ୍ମ ଷ୍ଟାର୍ସଙ୍କ ଭଳି ଅନୁରୋଧ କରାଯାଇଥିଲା । ଅନାଇତା ମଧ୍ୟ ରାଜି ହୋଇଯାଇଥିଲେ ତାଙ୍କ ଡ୍ରେସ ଡିଜାଇନ କରିବାକୁ । କିନ୍ତୁ ପରେ ତାଙ୍କୁ ଅପମାନ ସହ ମନା କରାଯାଇଥିଲା ।
ଏହି ସବୁ ବନ୍ଦ ହେବା ପରେ ଅନାଇତା ବାରମ୍ବାର ନିଜର ପ୍ରଚାର ପାଇଁ ତାଙ୍କ ଫଟୋ ପୋଷ୍ଟ କରୁଛନ୍ତି । ଯାହା ଠିକ୍ କଥା ନୁହେଁ । ଯାହାକୁ ଆଧାର କରି ସୋସିଆଲ ମିଡିଆରେ ଅନାଇତାଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି କଙ୍ଗନା ।