ମୁମ୍ବାଇ: ଏବର୍ଷ ଅନେକ ନୂଆ ଯୋଡିଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ । ଏହି କ୍ରମରେ ସାମିଲ ଅଛନ୍ତି ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ରଣବୀର କପୁର ଓ ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର । ଏହି ଯୋଡି ପପୁଲାର ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ସାଇନ କରିଛନ୍ତି । ସେପଟେ ପ୍ରଥମଥର ଏହି ଦୁଇ ଷ୍ଟାର୍ସଙ୍କ ଏକାଠି ଦେଖିବାକୁ ଉତ୍ସାହିତ ଫ୍ୟାନ୍ସ । ଇତିମଧ୍ୟରେ ଫିଲ୍ମ ନେଇ ନୂଆ ଖବର ସାମ୍ନାକୁ ଆସିଛି ।
ଶୁଣିବାକୁ ମିଳୁଛି ଯେ ଆସନ୍ତା 7 ତାରିଖରେ ଶ୍ରଦ୍ଧା ଓ ରଣବୀର ଏହି ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ଦିଲ୍ଲୀରେ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଦୁଇଜଣଙ୍କ ବ୍ୟତୀତ ନିର୍ମାତା ବୋନି କପୁର ଓ ଡିମ୍ପଲ କାପାଡିଆ ମଧ୍ୟ ଫିଲ୍ମରେ ଅଭିନୟ କରୁଛନ୍ତି । ନିକଟରେ ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ଅନିଲ କପୁର ଓ ଅନୁରାଗ କଶ୍ୟପଙ୍କ ଅଭିନୀତ ଫିଲ୍ମ ‘ଏକେ ଭସେସ୍ ଏକେ’ରେ ଡେବ୍ୟୁ କରିଥିଲେ ବୋନି । ଏହା ତାଙ୍କର ଦ୍ବିତୀୟ ଫିଲ୍ମ ।
ପ୍ରଥମ ସିଡ୍ୟୁଲ ସୁଟିଂ ପରେ ଲଭ ମାର୍ଚ୍ଚରେ ଆଗାମୀ ସୁଟିଂ କରିବାକୁ ଯୋଜନା କରିଛନ୍ତି । ପ୍ରକାଶ ଥାଉକି ଗତ ବର୍ଷ ସୋସିଆଲ ମିଡିଆରେ ଫିଲ୍ମର ଘୋଷଣା କରିଥିଲେ ଲଭ।