ମୁମ୍ବାଇ: ଧିରେ ଧିରେ ବଲିଉଡରେ ଅଧିକ ବାୟୋପିକ ଦେଖିବାକୁ ପସନ୍ଦ କରିବାରେ ଲାଗିଛନ୍ତି ଦର୍ଶକ । ସେହିପରି ମେକର୍ସ ମଧ୍ୟ ଦର୍ଶକଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ଦେଶର ବିଶିଷ୍ଟ ଲୋକଙ୍କ ବାୟୋପିକ ନିର୍ମାଣ କରୁଛନ୍ତି । ଦୀର୍ଘ କିଛି ବର୍ଷରୁ ଦର୍ଶକ ଅନେକ ମହାନ ବ୍ୟକ୍ତିଙ୍କ ବାୟୋପିକ ଦେଖିସାରିଲେଣି । ଏବେ ଦେଖିବାକୁ ଯାଉଛନ୍ତି ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦ୍ଦୁଲ କଲାମଙ୍କ ବାୟୋପିକ । ଆଉ ସବୁଠାରୁ ମୁଖ୍ୟ କଥା ହେଲା କି ଫିଲ୍ମରେ କଲାମଙ୍କ ଭୂମିକାରେ ଅଭିନୟ କରିବେ ଫେମସ ଆକ୍ଟର ପରେଶ ରାୱଲ । ସେହିପରି ଫିଲ୍ମର ନିର୍ମାଣ ଦାୟିତ୍ବ ତୁଲାଇବେ ଅଭିଷେକ ରତନ ଓ ଅନିଲ ସୁନକାର ।
ବର୍ତ୍ତମାନ ଏହି କଥାର ସୂଚନା ଦେଇଛନ୍ତି ପରେଶ । ସେ କନଫର୍ମ କରାଇଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦ୍ଦୁଲ କଲାମଙ୍କ ବାୟୋପିକରେ ଅଭିନୟ କରିବେ । ସେ ନିଜ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମୋ ହିସାବରେ ସବୁ ଋଷି କଲାମ ଥିଲେ । ମୁଁ ବହୁତ ଭାଗ୍ୟବାନ ଯେ କଲାମ ସାହେବଙ୍କ ବାୟୋପିକରେ ଅଭିନୟ କରିବାର ସୁଯୋଗ ପାଇଛି ।’
ଅନ୍ୟପଟେ ଫିଲ୍ମ ନିର୍ମାତା ଅଭିଷେକ ଏକ ସାକ୍ଷାତକାରରେ କନଫର୍ମ କରିଥିଲେ ଯେ ପରେଶ ବର୍ତ୍ତମାନ ଫିଲ୍ମରେ ସମ୍ପୃକ୍ତ ହୋଇଛନ୍ତି । ଆଉ ଫିଲ୍ମର ସୁଟିଂ ଆସନ୍ତା କିଛି ମାସ ମଧ୍ୟରେ ଆରମ୍ଭ ହେବ । ଏହି ବାୟୋପିକକୁ ହିନ୍ଦୀ ଓ ଇଂରାଜୀ ଭାଷାରେ ନିର୍ମାଣ କରାଯିବ । ହେଲେ ପରେଶଙ୍କ ବ୍ୟତିତ ଏଯାବତ ଅନ୍ୟ ଷ୍ଟାରକାଷ୍ଟଙ୍କ ଘୋଷଣା ହୋଇନାହିଁ ।
ପ୍ରକାଶ ଥାଉକି ଏହି ବାୟୋପିକ ବ୍ୟତିତ ପରେଶ ଦମଦାର କମେଡି ଫିଲ୍ମ ‘ହଙ୍ଗାମା 2’ ନେଇ ପରଦାରେ ନଜର ଆସିବେ । 2003ରେ ହିଟ୍ କମେଡି ଫିଲ୍ମ ‘ହଙ୍ଗାମା’ର ଏହା ସିକ୍ବେଲ ଫିଲ୍ମ । ଫିଲ୍ମଟି ଚଳିତ ବର୍ଷ ଅଗଷ୍ଟ 14ରେ ରିଲିଜ ହେବାକୁ ଯାଉଛି ।