ପୁରୀ: ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଥିବା ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି ପୁରୀ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ଆସନ୍ତାକାଲି ସେ ଶପଥ ନେବା ପୂର୍ବରୁ ଆଜି ସଂଧ୍ୟାରେ ସେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ରାଜ୍ୟକୁ ଆସିବା ପରେ ପ୍ରଥମ ପ୍ରତିକ୍ରିୟାରେ ‘ଜୟ ଜଗନ୍ନାଥ’ ଉଚ୍ଚାରଣ କହି ହରିବାବୁ କହିଛନ୍ତି,‘‘ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ମିଳିଲା । ଓଡିଶାର ଉନ୍ନତି ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି ।’’
- ସ୍ବାଗତ କଲେ ଜିଲ୍ଲାପାଳ ଓ ଶ୍ରୀମନ୍ଦିର କାର୍ଯ୍ୟକର୍ତ୍ତା
ରାଜ୍ୟପାଳଙ୍କ ଗସ୍ତ ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୁରୀ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ନୂତନ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ । ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଶ୍ରୀମନ୍ଦିର ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ନବନିଯୁକ୍ତ ରାଜ୍ୟପାଳ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସ୍ବାଗତ କରିଥିଲେ । ପରେ ଶ୍ରୀମନ୍ଦିର ଭିତରକୁ ଯାଇ ନୂଆ ରାଜ୍ୟପାଳ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଢା ପରିକ୍ରମା କରି ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଥିଲେ ।
- ‘ମହାପ୍ରଭୁଙ୍କ କୃପାରୁ ଓଡିଶାର କଲ୍ୟାଣ ପାଇଁ କାମ କରିବି’
ପ୍ରତିକ୍ରିୟାରେ ନବନିଯୁକ୍ତ ରାଜ୍ୟପାଳ ହରିବାବୁ କହିଛନ୍ତି, ‘‘ଜୟ ଜଗନ୍ନାଥ । ମୁଁ ଆଜି ମିଜୋରାମରୁ ସିଧା ପୁରୀ ଆସିଛି । ଆଜି ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ମିଳିଲା । ଓଡ଼ିଶା ରାଜ୍ୟର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ମୁଁ ପ୍ରାର୍ଥନା କଲି । ଆସନ୍ତାକାଲି ମୁଁ ରାଜ୍ୟପାଳ ଭାବେ ଶପଥ ନେବି । ମହାପ୍ରଭୁଙ୍କ କୃପାରୁ ଓଡ଼ିଶାର ଉନ୍ନତି ଓ କଲ୍ୟାଣ ପାଇଁ ମୁଁ ଆଗାମୀ ଦିନରେ କାର୍ଯ୍ୟ କରିବାକୁ ଚେଷ୍ଟା କରିବି ।’’
ଏହା ମଧ୍ୟ ପଢନ୍ତୁ :- ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ‘ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ’, ତେଜିଲା ରାଜନୀତି ଓଡ଼ିଶାରେ ନୂଆ ରାଜ୍ୟପାଳ: ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ, କାଲି ଶପଥ |
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି, ‘‘ଶପଥ ନେବା ପୂର୍ବରୁ ସମସ୍ତେ ମହାପ୍ରଭୁଙ୍କ ନିକଟରେ ନତମସ୍ତକ ହୋଇ ଆଶୀର୍ବାଦ ନେବାର ପରମ୍ପରା ରହିଛି । ଆଜି ନୂତନ ରାଜ୍ୟପାଳ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପରେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବା ସହ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି । ଓଡ଼ିଶାର ଉନ୍ନତି ପାଇଁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ନବନିଯୁକ୍ତ ରାଜ୍ୟପାଳଙ୍କ ସହ ତାଙ୍କ ସପରିବାର ସଦସ୍ୟ ଉପସ୍ଥିତ ଥିଲେ ।’’
ଇଟିଭି ଭାରତ, ପୁରୀ