ରାଇରଙ୍ଗପୁର/କେନ୍ଦୁଝର: ମା’ ଆଖି ସାମ୍ନାରେ ଚାଲିଗଲା ପୁଅର ଜୀବନ । ଟ୍ରକ ଧକ୍କାରେ ଲିଭିଗଲା କୁନି ପୁଅର ଜୀବନ ଦୀପ । ଏଭଳି ଏକ ହୃଦୟ ବିଦାରକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଅଞ୍ଚଳରେ । ସେପଟେ ତାରିଣୀ ଦର୍ଶନ ପାଇଁ ଯାଉଥିବା ବେଳେ କେନ୍ଦୁଝରରେ ଭାରସାମ୍ୟ ହରାଇ ପିଟି ହେଲା କାର । ଏଥିରେ 5 ଗୁରୁତର ହୋଇଛନ୍ତି ।
ଯଶିପୁର ଥାନା ଅନ୍ତର୍ଗତ ଯଶିପୁର ବଜାର ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ଟ୍ରକ ଚାପାରେ ଜଣେ ସାତ ବର୍ଷ ପୁଅର ମୃତ୍ୟୁ ଘଟିଛି । ତାହା ପୁଣି ମାଆ ଆଖି ସାମ୍ନାରେ ପୁଅର ଜୀବନ ଚାଲିଯାଇଛି । ଯଶିପୁର ବଜାର ନିକଟସ୍ଥ ଯଶିପୁର ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି ।
ମା’ ଆଖି ସାମ୍ନାରେ ଚାପିଦେଲା ଟ୍ରକ:
ସୂଚନା ଅନୁଯାୟୀ, ମାଆ ଓ ସାତ ବର୍ଷର ପୁଅ ଏକ ସ୍କୁଟି ଯୋଗେ ଯଶିପୁର ବଜାରର ୪୯ ନଂ ଜାତୀୟ ରାଜପଥ ଦେଇ ରରୁଆଁ ପଟକୁ ଯାଉଥିବା ବେଳେ ଏକ ଲୁହାପଥର ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ସାତ ବର୍ଷର ପୁଅ ତଳେ ପଡ଼ି ଯିବାରୁ ଟ୍ରକର ଚକ ତଳେ ଆସି ଯାଇଥିଲା । ଟ୍ରକଟି ପୁଅ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ହିଁ ସାତବର୍ଷର ପୁଅର ମୃତ୍ୟୁ ଘଟିଛି । ତେବେ ସୌଭାଗ୍ୟ ବଶତଃ ମାଆ ବର୍ତ୍ତି ଯାଇଥିବା ବେଳେ ମାଆ ସାମ୍ନାରେ ପୁଅର ଜୀବନ ଚାଲି ଯାଇଥିଲା ।
ଡ୍ରାଇଭର ଅଟକ:
ସେମାନଙ୍କର ଘର ବିଶୋଇ ଥାନା ନଙ୍ଗଳବେଣ୍ଟା ପୋଖରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚୁଆକାଙ୍କର ଗ୍ରାମରେ ବୋଲି ଜଣାପଡିଛି। ମୃତକ ଜଣକ ସେହି ଗ୍ରାମର ଜୟପାଲ ପୂର୍ତ୍ତିଙ୍କ ସାତ ବର୍ଷର ପୁଅ ଅଭିନନ୍ଦନ ପୂର୍ତ୍ତି ବୋଲି ପୋଲିସ ସୂଚନା ଦେଇଛି । ସେପଟେ ଖବର ପାଇ ଯଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ ଡ଼୍ରାଇଭରକୁ କାବୁ କରି ଥାନାକୁ ଆଣିଥିଲା ।
କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ:
ଅନ୍ୟପଟେ ଯଶିପୁର ବଜାର ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରେ ବର୍ତ୍ତମାନ ସୁଦ୍ଧା ବିଫଳ ରହିଛି ।
ଏହା ମଧ୍ୟ ପଢନ୍ତୁ: କୋରାପୁଟ ବସ୍ ଦୁର୍ଘଟଣା: ୪ ମୃତ, ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା |
ତାରିଣୀ ଦର୍ଶନ ପାଇଁ ଯାଉଥିଲେ ଭାରସାମ୍ୟ ହରାଇ ପିଟି ହେଲା କାର:
ସେହିପରି କେନ୍ଦୁଝର ଘସିପୁରା ଥାନା ୨୦ନଂ ଜାତୀୟ ରାଜପଥ ବିରଗୋବିନ୍ଦପୁର ନିକଟରେ ଭାରସାମ୍ୟ ହରାଇ କାର ରାସ୍ତା କଡ଼ରେ ଥିବା ବାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏଥିରେ 5 ଜଣ ଗୁରୁତର ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଶରତ ଚନ୍ଦ୍ର ସାହୁଙ୍କ ପରିବାର ଲୋକଙ୍କ ସହ ଦିନ ବେଳା ଘଟଗାଁ ମା' ତାରିଣୀ ଦର୍ଶନ କରିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ କାର ଦୁର୍ଘଟଣା ହୋଇଛି । ଏଥିରେ ୨ଜଣ ପୁରୁଷ ଗୁରୁତର,୩ଜଣ ମହିଳା ଗୁରୁତର ଓ ୧୨ବର୍ଷର ଝିଅ, ଜଣ ଶିଶୁ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
ଇଟିଭି ଭାରତ, ମୟୂରଭଞ୍ଜ ଓ କେନ୍ଦୁଝର