ମୁମ୍ବାଇ: ଆଜି ପାକିସ୍ତାନୀ ଗାୟକ ଆତିଫ ଅସଲମଙ୍କ 35ତମ ଜନ୍ମଦିନ । ଆଉ ଜନ୍ମଦିନଟି ସମସ୍ତଙ୍କ ପାଇଁ ଖାସ ହୋଇଥିବାବେଳେ ଆତିଫଙ୍କ ପାଇଁ କିନ୍ତୁ ଦୁଃଖମୟ । ତେବେ ଏହି ଦୁଃଖ ଆଉ କେଉଁ କାରଣକୁ ନେଇ ନୁହେଁ ବରଂ କ୍ୟାରିୟରକୁ ନେଇ...
ପ୍ରକାଶ ଥାଉକି ପୁଲୱାମା ଆତଙ୍କବାଦୀ ଆକ୍ରମଣର ବିରୋଧରେ ଭାରତ ପାକିସ୍ତାନୀ କଳକାରଙ୍କୁ ବ୍ୟାନ ଲଗାଇବା ପରେ ହତାଶ ହୋଇଛନ୍ତି ଅନେକ କଳାକାର । କିନ୍ତୁ ଏହି ନିଷ୍ପତ୍ତିରେ ଆତିଫଙ୍କୁ ଲାଗିଛି ଶକ୍ତ ଧକ୍କା ।
ପୁଲୱାମା ଆକ୍ରମଣ ପରେ ବି-ଟାଉନର ଅନେକ ନିର୍ମାତାଙ୍କ ସହ ଭାଇଜାନ ସଲମାନ ଖାନ ନିଜ ବ୍ୟାନର ଫିଲ୍ମ 'ନୋଟବୁକ'ରୁ ହଠାତ ଆତିଫଙ୍କ ଗୀତ ହଟାଇ ଦେଇଥିଲେ । ଆତିଫ ଫିଲ୍ମର ଗୀତ ରେକର୍ଡ କରିସାରିଥିଲେ, କିନ୍ତୁ ପରେ ତାଙ୍କ ଗୀତକୁ ଫିଲ୍ମରୁ ହଟାଯାଇଥିଲା । ପରେ ଆଉ ଜଣେ ଗାୟକଙ୍କ ସହ ଏହି ଗୀତ ରେକର୍ଡ କରାଯାଇଥିଲା ।
ସଲମାନଙ୍କ ଭଳି ଖିଲାଡୀ ଅକ୍ଷୟ କୁମାର ମଧ୍ୟ ନିଜର ଆଗାମୀ ଫିଲ୍ମ 'କେଶରୀ'ରୁ ମଧ୍ୟ ପାକିସ୍ତାନୀ ଗାୟକଙ୍କ ଗୀତ ଆଉଟ କରିଥିଲେ । ଏହି ଗାୟକଙ୍କ ନାମ ସେୟାର କରାଯାଇନଥିଲା । ଶୁଣିବାକୁ ମିଳୁଥିବା ଯେ ଗୀତଟିକୁ ଫିଲ୍ମରେ ସାମିଲ କରିନିଆଯାଇଥିଲା । କିନ୍ତୁ ପରେ ଏହାକୁ ହଟାଇ ଦିଆଗଲା ।
ଫିଲ୍ମ ଗୀତ ସହ ପପୁଲାର ମ୍ୟୁଜିକ କମ୍ପାନୀ ଟି-ସିରିଜ ନିଜ ଅଧିକାରୀକ ୟୁଟ୍ୟୁବ ଚ୍ୟାନେଲରୁ ମଧ୍ୟ ଆତିଫ ତଥା ସମସ୍ତ ପାକିସ୍ତାନୀ ଗାୟକଙ୍କ ଟ୍ରାକ ଅନଲିଷ୍ଟ କରିଦେଇଥିଲେ । ଅନଲିଷ୍ଟ କରିବାର ଅର୍ଥ ଆପଣ ଏହି ଗୀତକୁ ୟୁଟ୍ୟୁବରେ ସର୍ଚ କରିପାରିବେ ନାହିଁ ।