ହାଇଦ୍ରାବାଦ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଲାଣି । ଋଷ ଗତ ଆଠ ଦିନ ଧରି ୟୁକ୍ରେନ ଉପରେ କ୍ରମାଗତ ଭାବରେ କ୍ଷେପଣାସ୍ତ୍ର ବର୍ଷା କରୁଛି । ଋଷର ଏହି ଜିଦଖୋର ତଥା ଅମାନୁଷିକ ମନୋଭାବକୁ ଦେଖି ଅନେକ ଦେଶ ଏହାକୁ ବିରୋଧ କରିଆସୁଛନ୍ତି । ଏପରି ସମୟରେ ଋଷକୁ ଏକ ବଡ ଝଟ୍କା ଦେଇଛି ନେଟଫ୍ଲିକ୍ସ । ଏଣିକି ଋଷିଆର କୌଣସି ବି ଚ୍ୟାନେଲ ଏବଂ କଣ୍ଟେଟକୁ ନିଜ ପ୍ଲାଟଫର୍ମରେ ଦେଖାଇବ ନାହିଁ ବୋଲି କହିଛି ।
ଏହାପୂର୍ବରୁ ଗୁଗୁଲ ଋଷର ଅନେକ ଚ୍ୟାନେଲକୁ ବ୍ଲକ କରିଥିଲା । ବର୍ତ୍ତମାନ ଏହି ପର୍ଯ୍ୟାୟରେ, OTT ଜଗତର ବଡ ପ୍ଲାଟଫର୍ମ ନେଟଫ୍ଲିକ୍ସ ଏକ ବଡ ପଦକ୍ଷେପ ନେଇଛି । ନେଟଫ୍ଲିକ୍ସ କହିଛି ଯେ, ସେ ରୁଷର କୌଣସି ବି ଚ୍ୟାନେଲ ଏବଂ କଣ୍ଟେଟକୁ ନିଜ ପ୍ଲାଟଫର୍ମରେ ଦେଖାଇବ ନାହିଁ । ନେଟଫ୍ଲିକ୍ସ ମୁଖପାତ୍ର କହିଛନ୍ତି କି, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମ ସେବାରେ ଋଷିଆ ଚ୍ୟାନେଲକୁ ଯୋଡିବା ପାଇଁ ଆମର କୌଣସି ଯୋଜନା ନାହିଁ।
ୟୁକ୍ରେନ ଉପରେ ଋଷର ଆକ୍ରମଣର ଏକ ସପ୍ତାହ ପରେ ନେଟଫ୍ଲିକ୍ସ ରୁଷୀୟ ଚ୍ୟାନେଲଗୁଡ଼ିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । କହିବାକୁ ଗଲେ, ନେଟଫ୍ଲିକ୍ସର ଋଷରେ କୌଣସି କାର୍ଯ୍ୟାଳୟ ନାହିଁ । ଏହାପୂର୍ବରୁ ନେଟଫ୍ଲିକ୍ସ, ଟ୍ବିଟର, ଫେସବୁକ୍ ଏବଂ ୟୁଟ୍ୟୁବ୍ ମଧ୍ୟ ରୁଷର ରାଷ୍ଟ୍ରାୟତ୍ତ ଆଉଟଲେଟ୍କୁ ୟୁକ୍ରେନ ଉପରେ ରୁଷ ଯୁଦ୍ଧ ବିଷୟରେ ମିଥ୍ୟା ଖବର ପ୍ରଚାର କରିବାରେ ରୋକିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ