ନୂଆଦିଲ୍ଲୀ: ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯିଏ ନିଜ ସଂଘର୍ଷ ସମୟରେ କାଷ୍ଟିଂ କାଉଚ ଭଳି ସମସ୍ୟାର ସମ୍ମୁଖୀନ ହୋଇସାରିଛନ୍ତି । କିଛି ଏହା ବିଷୟରେ ସର୍ବସାଧାରଣରେ ଆଲୋଚନା ମଧ୍ୟ କରିସାରିଛନ୍ତି । ବର୍ତ୍ତମାନ ଏହି କ୍ରମରେ ସାମିଲ ହୋଇଛନ୍ତି ବଲିଉଡର ଦମଦାର ଅଭିନେତ୍ରୀ ନୀନା ଗୁପ୍ତା ।
ନୀନା ତାଙ୍କ ଜୀବନର ପ୍ରତ୍ୟେକ ଜିନିଷକୁ ନିଜର ଅଟୋବାୟୋଗ୍ରାଫି ‘ସଚ୍ କହୁଁ ତୋ’(Sach Kahun toh)ରେ ବର୍ଣ୍ଣନା କରିଛନ୍ତି ।
ନୀନାଙ୍କ ଅଟୋବାୟୋଗ୍ରାଫି ‘ସଚ୍ କହୁଁ ତୋ’ ବଲିଉଡର ଅନେକ ସତ୍ୟର ସାମ୍ନା କରାଉଛି । ଆଜିକାଲି, ନୀନା ତାଙ୍କ ଫିଲ୍ମ କ୍ୟାରିଅର ସମୟରେ ସମ୍ମୁଖୀନ ହୋଇଥିବା ଅନେକ ସମସ୍ୟାର ଖୁଲାସା କରୁଛନ୍ତି ।
ତାଙ୍କ ଜୀବନରେ ଘଟିଥିବା ଘଟଣା ବିଷୟରେ ନୀନା କହିଛନ୍ତି, ଯେତେବେଳେ ସାଉଥ ଇଣ୍ତିୟାନ ଫିଲ୍ମ ନିର୍ମାତା ତାଙ୍କୁ ଭେଟିବା ପାଇଁ ହୋଟେଲ୍ ରୁମକୁ ଡାକିଥିଲେ । ନୀନା ମୁମ୍ବାଇରେ ଜୁହୁର ପ୍ରୃଥ୍ବି ଥିଏଟରରେ ନିଜର ଶୋ କରୁଥିଲେ । ଯେଉଁ ହୋଟେଲକୁ ନିର୍ମାତା ଜଣଙ୍କ ତାଙ୍କୁ ଭେଟିବାକୁ ଡାକିଥିଲେ ତାହା ଥିଏଟର ନିକଟରେ ଥିଲା । ତେଣୁ ତାଙ୍କ ଶୋ ପରେ ସେ ନିର୍ମାତାଙ୍କୁ ଭେଟିବାକୁ ଯାଇଥିଲେ । ସେଠାକୁ ଯିବାପରେ ନୀନାଙ୍କୁ ନିର୍ମାତା ତାଙ୍କ ରୁମକୁ ଆସିବାକୁ କହିଥିଲେ । ରୁମକୁ ଯାଇ ଯେତେବେଳେ ନୀନା ତାଙ୍କ ଭୂମିକା ବିଷୟରେ ପଚାରିଲେ, ସେ କହିଥିଲେ ଯେ ଅଭିନେତ୍ରୀଙ୍କ ବନ୍ଧୁଙ୍କ ଭୂମିକା କରିବାକୁ ପଡ଼ିବ । ନୀନା ତାଙ୍କ ଭୂମିକାରେ କୌଣସି ଆଗ୍ରହ ଦେଖାଇନଥିଲେ ଏବଂ କହିଥିଲେ ଯେ ସାର୍ ମୋତେ ବର୍ତ୍ତମାନ ଯିବାକୁ ପଡିବ । ଏହା ପରେ ନିର୍ମାତା କହିଥିଲେ, ତୁମେ ଏଠାରେ ରାତି ବିତାଇବ ନାହିଁ କି, ଏହା ଶୁଣିବା ପରେ ନୀନା ସେଠାରୁ ଚାଲି ଆସିଥିଲେ ।
ପ୍ରକାଶ ଥାଉ ଯେ, କାଷ୍ଟିଂ କାଉଚ ବିଷୟରେ ନୀନା ଆହୁରି କହିଛନ୍ତି ଯେ କେହି ଆପଣଙ୍କୁ କାହା ସହିତ ଶୋଇବାକୁ ବାଧ୍ୟ କରିପାରିବେ ନାହିଁ । ଏହା ଆପଣଙ୍କ ଉପରେ ନିର୍ଭର କରେ ଏଭଳି ପରିସ୍ଥିତିରେ ଆପଣ କଣ କରିବେ ।