ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥର ଉପକୂଳରେ ଉଡିବ ତ୍ରିରଙ୍ଗା । ସମୁଦ୍ର ତଟବର୍ତ୍ତୀ 10ଟି ଦ୍ବୀପକୁ ଏଥିପାଇଁ ଚିହ୍ନଟ କରାଯାଇଛି । ସର୍ଭେ ହୋଇସାରିଥିବା ବେଳେ ଓଡ଼ିଶା ଉପକୁଳର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସ୍ଥାନ ନିରୁପଣ କରାଯାଇଛି। ଯେଉଁଠି ନା ଜନବସତି ରହିଛି ନା କେହି ଲୋକ ବସବାସ କରୁଛନ୍ତି। ସେସବୁ ଦ୍ୱୀପରେ ଓଡ଼ିଶା କୋଷ୍ଟ ଗାର୍ଡ ଓ ଓଡ଼ିଶା ପୋଲିସର ମିଳିତ ଉଦ୍ୟମରେ ତ୍ରିରଙ୍ଗା ଉତ୍ତୋଳନ ପାଇଁ ସରକାରୀ ସ୍ତରରେ ନିଷ୍ପତି ହୋଇଛି। ଏନେଇ ପୋଲିସ ଡିଜି ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆଦେଶ କ୍ରମେ ଏଭଳି ପ୍ରଥମ ଥର ପାଇଁ ଓଡ଼ିଶା ଉପକୂଳ ଲାଗି ନିଷ୍ପତି ନିଆଯାଇଛି ।
- ତଟ ସୁରକ୍ଷା ପାଇଁ ସ୍ବତନ୍ତ୍ର ଟିମ୍
ଶତ୍ରୁପକ୍ଷଙ୍କୁ ମୁକାବିଲା ପାଇଁ ବଢିବ ତଟ ସୁରକ୍ଷା । ଅନୁପ୍ରବେଶ ରୋକିବା ପାଇଁ ନଜର ରଖିବେ ଓଡ଼ିଶା ପୋଲିସ ଓ ତଟ ସୁରକ୍ଷାର ମିଳିତ ଟିମ୍। ଏନେଇ କୋଷ୍ଟଗାର୍ଡ ସହ ବୈଠକ କରିଛି ଓଡ଼ିଶା ପୋଲିସ। ପୋଲିସ ଡିଜିଙ୍କ ସହ କୋଷ୍ଟଗାର୍ଡ କମାଣ୍ଡର ADG ଡନି ମିଚେଲଙ୍କ ଭେଟଘାଟ ପରେ ତଟ ସୁରକ୍ଷା ନେଇ ଏକ ବାଟ ବାହାରିଛି । ଡିଜିପି କ୍ୟାମ୍ପ କାର୍ଯ୍ୟାଳୟ ଠାରେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଓ ପୂର୍ବ ସମୁଦ୍ର ତଟର କୋଷ୍ଟ ଗାର୍ଡ କମାଣ୍ଡର ADG ଡନି ମିଚେଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ଉପକୂଳ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି। ତଟ ସୁରକ୍ଷା ନେଇ ଆଗାମୀ ରଣନିତି କଣ ରହିବ ସେନେଇ ବୈଠକରେ ବିଶଦ ଭାବେ ସ୍ବତନ୍ତ୍ର ଆଲୋଚନା ହୋଇଛି।
ଉପକୂଳ ସୁରକ୍ଷାରେ କିଭଳି ସମନ୍ୱୟ ରଖି ପୋଲିସ ଓ ତଟ ସୁରକ୍ଷା ଏ ଦିଗରେ କାର୍ଯ୍ୟ କରିବେ ବୈଠକରେ ଆଲୋଚନା ହୋଇଛି। ଏନେଇ ପୋଲିସ ଡିଜି କହିଛନ୍ତି ‘‘ଓଡ଼ିଶା ପୋଲିସ ତରଫରୁ ତଟ ସୁରକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି । ଏନେଇ ନୁଆ ନୁଆ ପ୍ଲାନ୍ ଓ ଓ ତଟ ସୁରକ୍ଷା ପାଇଁ ସ୍ବତନ୍ତ୍ର ଟିମ୍ ତୟାର୍ ହୋଇଛି । କୋଷ୍ଟ ଗାର୍ଡର ମିଳିତ ସହଯୋଗରେ କିପରି ପାଟ୍ରୋଲିଂ ବଢାଇବା, ଏରିଏଲ ସର୍ଭେ ବଢ଼ାଇବା, କମାଣ୍ଡିଂ ସେଣ୍ଟରରେ ତିକ୍ତ ନଜର ରଖିବା ବିଷୟରେ ଆଲୋଚନା ହୋଇଛି। କୋଷ୍ଟ ଗାର୍ଡ କମାଣ୍ଡର ଏଡିଜି ଡନି ମିଚେଲଙ୍କ ସହ ଆଲୋଚନା ହୋଇଛି । ଆମେ କୋଷ୍ଟାଲ ସିକ୍ୟୁରିଟି ଉପରେ କିଛି ତଥ୍ୟ ଆଦାନ ପ୍ରଦାନ କରିଛୁ । କୋଷ୍ଟ ଗାର୍ଡ ଓଡ଼ିଶା ପୋଲିସକୁ ସହଯୋଗ କରିପାରିବ ସେନେଇ ନିଷ୍ପତି ହୋଇଛି। ନିଷ୍ପତି ଅନୁସାରେ ଆଗାମୀ ଦିନରେ ଏକ ବୋର୍ଡ ଗଠନ ହେବ । ଯେଉଁଠି କୋଷ୍ଟ ଗାର୍ଡର ,ଓଡ଼ିଶା ପୋଲିସର ଅଫିସର ରହିବେ । ସେମାନେ କୋଷ୍ଟ ଗାର୍ଡର ସ୍ଥିତି ନେଇ ସର୍ଭେ କରି ଆମକୁ ଜଣାଇବେ’’ ।
- ମେରାଇନ ଥାନାକୁ ବୋଟ୍ ଦିଆଯିବ
ବିଭିନ୍ନ ଅଂଚଳରେ କେଉଁ ପ୍ରକାର ବୋଟ ଆବଶ୍ୟକ ହେଉଛି । ସେହି ଅନୁସାରେ ବୋର୍ଡର ତଥ୍ୟ ଆଧାରରେ ବୋଟ ମେରାଇନ ପୋଲିସକୁ ଦେବା ପାଇଁ ପ୍ରୟାସ କରାଯିବ। ମାନବ ସମ୍ବଳ ପାଇଁ ଆଲୋଚନା ହୋଇଛି।ନାଭି ଓ କୋଷ୍ଟାଲରେ ଯେଉଁମାନେ ଅବସର ନେଉଛନ୍ତି ସେମାନଙ୍କୁ ଏକ ସ୍କିମରେ ରଖିବା ପାଇଁ ମଧ୍ୟ ଆମେ ଯୋଜନା କରିଛୁ। ସେନେଇ ଲିଷ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି। ଅବସରପ୍ରାପ୍ତ ଅଫିସର ଅଛନ୍ତି ସେମାନଙ୍କୁ ନେଇ ଆଗାମୀ ଦିନରେ ତଟ ସୁରକ୍ଷା ବଢାଯିବ। ଆଉ ତାଙ୍କର ଯେଉଁ ଅଭିଜ୍ଞତା ଅଛି ତାକୁ ବିନିଯୋଗ କରି ତଟ ସୁରକ୍ଷାକୁ ସୁରକ୍ଷିତ କରାଯାଇପାରିବ ।
ଏନେଇ କୋଷ୍ଟ ଗାର୍ଡ ଓ ପୋଲିସ ମଧ୍ୟରେ ଯେଉଁ ସମନ୍ବୟ ରହିବା କଥା ସେନେଇ ଆଲୋଚନା ହୋଇଛି । ଖୁବଶୀଘ୍ର ଏହାର ଫଳ ଦେଖିବାକୁ ମିଳିବ। ବିଶେଷ କରି ଜୋରଦାର ପାଟ୍ରୋଲିଂ, ଆକାଶ ମାର୍ଗରୁ ଗତିବିଧି ନିରୀକ୍ଷଣ ଏବଂ ଆଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳକୁ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବା ଭଳି ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହ ତଟ ସୁରକ୍ଷା ବାହିନୀ ପକ୍ଷରୁ ଓଡିଶା ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରିବା ସଂକ୍ରାନ୍ତରେ ମଧ୍ୟ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଛି। ଦୁଇ ବିଭାଗର ଅଧିକାରୀମାନେ ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳକୁ ତନ୍ନ ତନ୍ନ କରି ଯାଞ୍ଚ କରିବେ ଏବଂ ସେମାନଙ୍କ ରିପୋର୍ଟ ଅନୁଯାୟୀ ମେରାଇନ ଥାନା ଗୁଡିକୁ ବୋଟ ଯୋଗାଇଦିଆଯିବ ।
- ଉପକୂଳରେ ଡ୍ରୋନର ନଜର
ଆଗକୁ ଅତ୍ୟାଧୁନିକ ଡ୍ରୋନ ମଧ୍ୟ ଆଣିବାକୁ ପ୍ରୟାସ ଚାଲିଛି । ଏବେ କିଛି ଡ୍ରୋନ ମଗାଯାଇ ସର୍ଭେ ମଧ୍ୟ ଚାଲିଛି । ବିଶେଷ କରି ଡ୍ରୋନ ପାଟ୍ରୋଲିଂ ଦ୍ବାରା ଗୋଟିଏ ସମୟରେ ୧୦ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ତୁରନ୍ତ ଗତିବିଧି ଉପରେ ନଜର ରଖି ହେବ। ଅର୍ଥାତ୍ ଡଙ୍ଗା ବା ବୋଟ ପହଞ୍ଚିବା ପୁର୍ବରୁ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରହିବ। କିଛି ସାମୁଦ୍ରିକ ଥାନାର କର୍ମଚାରୀଙ୍କୁ ଏନେଇ ଟେକ୍ନୋଲୋଜି ତାଲିମ ମଧ୍ୟ ଦେବା ପାଇଁ ପ୍ରୟାସ ଚାଲିଛି । ଯାହାଦ୍ବାରା ନାଭିଗେସନ, କୋର୍ଡିନେସନ ଓ ସାମୁଦ୍ରିକ ପଥରେ ଗତିବିଧି ଆଦି କିପରି ସଠିକ ଭାବେ ଆକଳନ ହୋଇପାରିବ ସେନେଇ ଯୋଜନା ଚାଲିଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏବେ କୋଷ୍ଟାଲ ସିକ୍ୟୁରିଟି ଅଫିସ ପୁରୁଣା କ୍ରାଇମବ୍ରାଞ୍ଚ କୋଠାରୁ ପରିଚାଳିତ ହେଉଛି । ତେଣୁ ଡ୍ରୋନ ମନିଟରିଂ ଓ କଣ୍ଟ୍ରୋଲ ରୁମ୍ କରି ଅତ୍ୟାଧୁନିକ ଅଫିସ ମଧ୍ୟ ପାଇଁ ଯୋଜନା ଚାଲିଛି । ସେନେଇ ପ୍ରଶାସନିକ ନିଷ୍ପତ୍ତି ବାକି ରହିଛି ସୁବିଧା ମିଳିଲେ ସ୍ବତନ୍ତ୍ର କାର୍ଯ୍ୟାଳୟ କୋଠା ପାଇଁ ମଧ୍ୟ ପ୍ରୟାସ ରହିବ ।