ମୁମ୍ବାଇ: ବଲିଉଡର ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକୀଙ୍କ ନାମରେ ଆଉ ଏକ ଉପଲବ୍ଧି । ଫିଲ୍ମ ଜଗତକୁ ତାଙ୍କ ଯୋଗଦାନ ପାଇଁ କାର୍ଡିଫ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବ 2019ରେ କରାଯିବ ସମ୍ମାନିତ। ନୱାଜଙ୍କୁ ଏହି ମହୋତ୍ସବରେ ଗୋଲ୍ଡନ ଡ୍ରାଗନ ଆୱାର୍ଡ ମିଳିବାକୁ ଯାଉଛି । ଯାହା ଆଜି(ଗୁରୁବାର)ଠୁ ଆରମ୍ଭ ହୋଇଯାଇଛି । ଏହି ମହୋତ୍ସବ 27 ପର୍ଯ୍ୟନ୍ତ କାର୍ଡିଫ ବେ, ୱେଲ୍ସରେ ଚାଲିବ। ସେ ମହୋତ୍ସବର ଶେଷ ଦିନ ପୁରସ୍କାରରେ ପୁରସ୍କୃତ ହେବେ । ଏହି ଗୁଡନ୍ୟୁଜ ଶୁଣି ତାଙ୍କ ଫ୍ୟାନ୍ସଙ୍କ ଖୁସି ନ କହିଲେ ସରେ ।
ଏହି ଅବସରରେ ନୱାଜ କହିଛନ୍ତି ଯେ କାର୍ଡିଫ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ତାଙ୍କୁ ଏଭଳି ସମ୍ମାନ ମିଳିବାକୁ ଯାଉଥିବାରୁ ସେ ଗର୍ବିତ ଅନୁଭବ କରୁଛନ୍ତି । ଏହାସହ ସେ ମହୋତ୍ସବରେ ସାମିଲ ହେବାକୁ ନେଇ ଖୁବ୍ ଉତ୍ସାହିତ ମଧ୍ୟ । ସେପଟେ କାର୍ଡିଫ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବର ଫାଉଣ୍ଡର ରାହିଲ ଅବ୍ବାସ କହିଛନ୍ତି ଯେ ନୱାଜ ତାଙ୍କର ସ୍ପେଶାଲ ଗେଷ୍ଟ । ଆଉ କଳା ଜଗତରେ ତାଙ୍କ ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।
ପ୍ରକାଶ ଥାଉକି ‘ସରଫରୋଶ’ ଏବଂ ‘ସୁଲ’ ଭଳି ଫିଲ୍ମରୁ ଛୋଟ ଭୂମିକାରେ ଅଭିନୟ ଆରମ୍ଭ କରିଥିଲେ ‘ନୱାଜ’ । କିନ୍ତୁ ତାଙ୍କୁ 2012ରେ ରିଲିଜ ହୋଇଥିବା ଅନୁରାଗ କଶ୍ୟପଙ୍କ ପପୁଲାର ଫିଲ୍ମ ‘ଗ୍ୟାଙ୍ଗ ଅଫ ୱାସେପୁର’ରେ ତାଙ୍କୁ ନୂଆ ପରିଚୟ ମିଳିଥିଲା । ସେହିପରି ସେ ‘ଦ ଲଞ୍ଚବକ୍ସ’, ‘ଲିୟର୍ସ ଡାଇସ’, ‘ବଦଲାପୁର’, ‘ମାଞ୍ଝୀ: ଦ ମାଉଣ୍ଟେନ ମ୍ୟାନ’, ‘କିକ’, ‘ବଜରଙ୍ଗୀ ଭାଇଜାନ’, ‘ମମ’ ଏବଂ ୱେବ ସିରିଜ ‘ସାକ୍ରେଡ ଗେମ୍ସ’ରେ ଦମଦାର ଅଭିନୟ କରି ଆଜି ସେ ବଲିଉଡର ସୁପରଷ୍ଟାରଙ୍କ ତାଲିକାରେ ସାମିଲ ହୋଇଛନ୍ତି ।
2016ରେ ଏହି ମହୋତ୍ସବର ଆରମ୍ଭ କରିଥିଲେ ଅବ୍ବାସ । ଏହାର ଜ୍ୟୁରୀ ଏବଂ ସମର୍ଥକ ତାଲିକାରେ ସାମିଲ ଥିଲେ ଅନୁରାଗ କଶ୍ୟପ, ଫ୍ଲେରେନ୍ସ ଆଇସି, ଜନ ଅଲ୍ଟମ୍ୟାନ, ଜୋ ଫେରେରା, କିଥ ୱିଲିୟମ୍ସ, ଦିବ୍ୟଙ୍କା ତ୍ରିପାଠୀ ଦହିୟା, ନର୍ମନ ଜେ ୱାରେନ, କିମ୍ବରଲେ ନିକ୍ସନ, ଜନସନ ଓଭେନ, ମାରିୟା ପ୍ରାଇଡ, କାଈ ଓଭେନ ଓ ମାଥ୍ୟୁ ରାଇସ ସାମିଲ ।