ମୁମ୍ବାଇ: ବଲିଉଡ ପାଇଁ ବିପଦ ଆଣି ଆସିଛି ବର୍ଷ 2020। ଗୋଟିଏ ପରେ ଗୋଟିଏ ନାମୀଦାମୀ ଆକ୍ଟରଙ୍କ ଦେହାନ୍ତ ହେଉଛି। ଯାହାକୁ ନେଇ ସମ୍ପୂର୍ଣ୍ଣ ବଲିଉଡ୍ ଜଗତ ସ୍ତବ୍ଧ ହୋଇଯାଇଛି। ନିକଟରେ ଋଷି କପୁର, ଇରଫାନ୍ ଖାନ ଓ ୱାଜିଦଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ସେହି ପଥର ଯାତ୍ରୀ ହୋଇଛନ୍ତି ୟଙ୍ଗ୍ ଏବଂ ଡାଇନାମିକ୍ ଆକ୍ଟର ସୁଶାନ୍ତ ସିଂ ରାଜପୁତ।
ତାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି। ଏଭଳି ଏକ ଦୁଃଖଦ ସ୍ଥିତି ଓ ମହାମାରୀର ଅନ୍ଧକାର ଭିତରେ ବଲିଉଡର ଦାଦା ମିଥୁନ ଚକ୍ରବର୍ତ୍ତୀ ନିଜର ଜନ୍ମ ପାଳିବେନି ବୋଲି ଜଣାଇଛନ୍ତି। ଆସନ୍ତା 16 ରେ ମିଥୁନଙ୍କ ଜନ୍ମଦିନ। ଅନେକ ଲୋକ ଲକଡାଉନ୍ ମଧ୍ୟରେ ଭର୍ଚୁଆଲ୍ ପାର୍ଟି କରୁଥିବା ବେଳେ ମିଥୁନ୍ ତାଙ୍କ ବିଶେଷ ଦିନରେ କୌଣସି ପ୍ରକାର ଉତ୍ସବର ଆୟୋଜନ କରିବେ ନାହିଁ।
''କୋଭିଡ୍ 19 ମହାମାରୀର ସାମ୍ପ୍ରତିକ ପରିସ୍ଥିତି ଏବଂ ଆମର ପ୍ରିୟ ସହକର୍ମୀ ସୁଶାନ୍ତଙ୍କ ଅକାଳ ବିୟୋଗକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମୁଁ ଏବଂ ମୋ ପିତା ଜନ୍ମଦିନରେ କୌଣସି ଉତ୍ସବ ପାଳନ ନକରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଲୋକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ନିରାପଦରେ ରୁହନ୍ତୁ ଏବଂ ଯଥାସମ୍ଭବ ଘର ଭିତରେ ରୁହନ୍ତୁ। '', ମିଥୁନଙ୍କ ପୁଅ ଏପରି କିଛି ଟ୍ବିଟ କରି ଜଣାଇଛନ୍ତି।
ଅବସାଦ ପରେ ସୁଶାନ୍ତ ଆତ୍ମହତ୍ୟା ଖବରକୁ ଶୁଣି ନମଶି ସମସ୍ତଙ୍କୁ ନିବେଦନ କରିଛନ୍ତି ଯେ କୌଣସି କଥା ଥିଲେ ନିଜ ପରିବାର,ବନ୍ଧୁ ଓ ପ୍ରିୟଜନଙ୍କ ସହ ଆଲୋଚନା କରି ସମାଧାନ କରନ୍ତୁ। ମୃତ୍ୟୁ ଏସବୁ ଦ୍ବନ୍ଦର ସମାଧାନ ନୁହେଁ।