ମୁମ୍ବାଇ: ବି-ଟାଉନର ଭାର୍ସାଟାଇଲ ଅଭିନେତା ଋଷି କପୁର ଦୀର୍ଘ 9 ମାସ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । ଏବେ ସେ ଧୀରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି ବୋଲି ଶୁଣିବାକୁ ମିଳୁଛି । ଆଉ ଖୁବଶୀଘ୍ର ସେ ଭାରତ ଫେରି ଏବର୍ଷ ନିଜ ଜନ୍ମଦିନ ପାଳନ କରିବେ ବୋଲି ନିକଟରେ ଇଚ୍ଛା ପ୍ରକାଶ କରିଥିଲେ । ଇତିମଧ୍ୟରେ ତାଙ୍କୁ ସାକ୍ଷାତ କରିବାକୁ ନ୍ୟୁୟର୍କରେ ପହଞ୍ଚିଯାଇଛନ୍ତି ବି-ଟାଉନର ନୂଆ ଲଭବାର୍ଡ ଅର୍ଜୁନ କପୁର ଓ ମଲାଇକା ଅରୋରା ।
ଯାହାର ଫଟୋ ଟ୍ବିଟରରେ ବର୍ତ୍ତମାନ ଦେଖିବାକୁ ମିଳୁଛି । ଫଟୋରେ ଋଷିଙ୍କ ସହ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ନୀତୁ ସିଂହ ଥିବା ସହ ମଲାଇକା ଓ ଅର୍ଜୁନ ଋଷିଙ୍କ ହାତ ଧରି ବସିଥିବାର ନଜର ଆସୁଛନ୍ତି । ଋଷି ଫଟୋଟିକୁ ଟ୍ବିଟର ଆକାଉଣ୍ଟରେ ସେୟାର କରି ଏହି ଲଭାବାର୍ଡଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପ୍ରକାଶ ଥାଉକି ଗତ ବର୍ଷରୁ ଅର୍ଜୁନ ଓ ମଲାଇକାଙ୍କ ରିଲେସନଶିପ ଖବର ଚର୍ଚ୍ଚାରେ ରହିଛି । ଦୁଇଜଣଙ୍କୁ ଏକାଠି ପ୍ରାୟତଃ ଅନେକ ଇଭେଣ୍ଟରେ ଦେଖିବାକୁ ମଧ୍ୟ ମିଳିଛି । କେବେ ହାତରେ ହାତ ଧରି ଦୁଇଜଣ ନିଜ ପ୍ରେମ ଦୁନିଆରେ ହଜିଯାଉଥିବାର ନଜର ଆସୁଛନ୍ତି ତ ଆଉ କେବେ ସୋସିଆଲ ମିଡିଆରେ ପରସ୍ପର ପ୍ରତି ପ୍ରେମ ଜାହିର କରୁଥିବାର ଦେଖାଯାଉଛନ୍ତି ।
ଖାଲି ଏତିକି ନୁହେଁ ଦୁଇଜଣଙ୍କୁ ନେଇ ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । କିନ୍ତୁ ଏଯାବତ ଏହି ଲଭବାର୍ଡ ନିଜ ରିଲେସନଶିପ ବିଷୟରେ ଘୋଷଣା କରିନାହାଁନ୍ତି ।