ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ରିଆ ଚକ୍ରବର୍ତ୍ତୀ ସାକ୍ଷାତକାରରେ ଭିନ୍ନ ଭିନ୍ନ ବୟାନ ଦେଇ ବର୍ତ୍ତମାନ ଚର୍ଚ୍ଚାରେ । ନିକଟରେ ଶୁଣିବାକୁ ମିଳୁଥିଲା ଯେ ରିଆ, ସୁଶାନ୍ତଙ୍କ ଟଙ୍କାରେ ୟୁରୋପ ଟ୍ରିପରେ ଯାଇନଥିଲେ । ଆଉ ନିଜ ଲାଇଫଷ୍ଟାଇଲ ମେଣ୍ଟେନ କରିବା ପାଇଁ ସୁଶାନ୍ତଙ୍କ ଟଙ୍କା ମଧ୍ୟ ଖର୍ଚ୍ଚ କରୁଥିଲେ। ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରିଆ । ଏହାସହ ସେ ସୁଶାନ୍ତଙ୍କ ଥାଇଲ୍ୟାଣ୍ଡ ଟ୍ରିପ ବିଷୟରେ ଆଶ୍ଚର୍ଯ୍ୟକର କଥା ମଧ୍ୟ କହିଛନ୍ତି ।
ବୟାନରେ ରିଆ କହିଛନ୍ତି, ‘ସୁଶାନ୍ତ ଷ୍ଟାର ଭଳି ରହିବାକୁ ଖୁବ୍ ପସନ୍ଦ କରୁଥିଲେ । ଏମିତି ପରିସ୍ଥିତିରେ ସେ ଖୁବ୍ ଟଙ୍କା ଖର୍ଚ୍ଚ ମଧ୍ୟ କରୁଥିଲେ । ଏକ ବର୍ଷ ପୂର୍ବେ ସୁଶାନ୍ତ ନିଜର 6 ଜଣ ବନ୍ଧୁଙ୍କ ସହ ଥାଇଲ୍ୟାଣ୍ଡ ଟ୍ରିପରେ ମଧ୍ୟ ଯାଇଥିଲେ । ସେହି ସମୟରେ ସେ 70 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ସେ ପ୍ରାଇଭେଟ ଜେଟ ନେଇକି ଯାଇଥିଲେ। ’
ପ୍ରକାଶ ଥାଉକି ରିଆ ଯେଉଁ 6 ଜଣକ ବନ୍ଧୁଙ୍କ କଥା କହିଛନ୍ତି ସେମାନଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଏହି କ୍ରମରେ ସାମିଲ ଅଛନ୍ତି ନିର୍ଦ୍ଦେଶକ କୁଶଲ ଜାଭେରୀ, ସୁଶାନ୍ତଙ୍କ ଷ୍ଟାଫ ଦୀପେଶ ସାୱନ୍ତ, ତାଙ୍କ ପ୍ରଫେଶନାଲ ଟିମର ସଦସ୍ୟ ଅବ୍ବାସ, ବନ୍ଧୁ ସିଦ୍ଧାର୍ଥ ଗୁପ୍ତା , ସାମୁଏଲ ହାକି । ଏହାବ୍ୟତୀତ ସୁଶାନ୍ତଙ୍କ ବଡିଗାର୍ଡ ମୁସ୍ତାକ ମଧ୍ୟ ଟ୍ରିପରେ ଯାଇଥିଲେ ।