ମୁମ୍ବାଇ: ଆଜିଠୁ ଠିକ୍ ବର୍ଷେ ତଳେ ସମସ୍ତଙ୍କ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଥିଲେ ଭେଟେରାନ ଆକ୍ଟର ଇରଫାନ ଖାନ । ତାଙ୍କ ମୃତ୍ୟୁକୁ ଏକ ବର୍ଷ ବିତିଗଲାଣି ହେଲେ ଆଜି ବି ସମସ୍ତଙ୍କ ହୃଦୟରେ ବଞ୍ଚିଛନ୍ତି ସେ । ମାତ୍ର 54 ବର୍ଷ ବୟସରେ ଆଖି ବୁଜିଥିଲେ ଅଭିନେତା । ତାଙ୍କ ମୃତ୍ୟୁ କେବଳ ପରିବାର ଲୋକଙ୍କୁ ନୁହେଁ ବରଂ ଦେଶବାସୀଙ୍କୁ କନ୍ଦାଇ ଦେଇଥିଲା । ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତଙ୍କ ପାଟିରୁ ଗୋଟିଏ କଥା ବାହାରୁଥିଲା କାହିଁକି ଏତେ ଶୀଘ୍ର ଚାଲିଗଲେ ଅଭିନେତା ।
ସମସ୍ତଙ୍କର ଲୋକପ୍ରିୟ ଅଭିନେତା ଇରଫାନ ଖାନ, ଯିଏ ନିଜ ଆଖିର ଅଭିନୟ ଜରିଆରେ ସମସ୍ତଙ୍କୁ ବାନ୍ଧି ରଖୁଥିଲେ । ଦମଦାର ଅଭିନୟ ସହ ଶାନଦାର ଏକ୍ସପ୍ରେସନରେ ସେ ପରିପକ୍ବ । ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କେବେ ଗରିବ ବାପା ହୋଇ ପୁଅ ମୃତ୍ୟୁ ପାଇଁ ଲଢୁଥିଲେ ତ କେବେ ଝିଅଙ୍କୁ ବିଦେଶରେ ପଢାଇବା ପାଇଁ ନିଜର ରକ୍ତ ବିକ୍ରି କରିଥିଲେ । ଏପରି ଅନ୍ଦାଜରେ ଜିଣିଥିଲେ ସମସ୍ତଙ୍କ ମନ । ହେଲେ ଏପ୍ରିଲ 29 ତାରିଖରେ ଲିଭିଯାଇଥିଲା ଇରଫାନଙ୍କ ଜୀବନ ଦୀପ । ସମସ୍ତଙ୍କୁ କନ୍ଦାଇ ଚାଲିଯାଇଥିଲେ ସେ ଆରପାରିକୁ । ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମରରେ ପୀଡିତ ଇରଫାନ ହାରିଯାଇଥିଲେ ଜୀବନ ଯୁଦ୍ଧ । ତେବେ ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ନଜର ପକାଇବା ତାଙ୍କ ଫିଲ୍ମ କ୍ୟାରିୟର ଉପରେ...
ସାହାବଜାଦେ ଇରଫାନ ଅଲ୍ଲୀ ଖାନ ଜଣେ ଭାରତୀୟ ଅଭିନେତା ହେବା ସହ ବିଦେଶରେ ମଧ୍ୟ ଜମାଇଥିଲେ ନିଜ ଅଭିନୟର ଯାଦୁ । ଅନେକ ହଲିଉଡ ଫିଲ୍ମରେ ଦେଖିବାକୁ ମିଳିଥିଲା ତାଙ୍କ ଅଭିନୟର ଦମଦାର ଅନ୍ଦାଜ । 1967 ମସିହା ଜାନୁଆରୀ 7ରେ ରାଜସ୍ଥାନର ଏକ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସେ ।
ନିଜ ଅଭିନୟ କ୍ୟାରିୟର ସେ ଟିଭି ଧାରାବାହିକରୁ ଆରମ୍ଭ କରି ହଲିଉଡ ମଞ୍ଚରେ ପହଞ୍ଚିଥିଲେ । ଅଭିନୟ ପାଇଁ ତାଙ୍କ ନିଷ୍ଠା ତାଙ୍କୁ ଦେଇଥିଲା ଅନେକ ସଫଳତା । 30 ବର୍ଷ ଅଭିନୟ ଜୀବନ ମଧ୍ୟରେ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଏସୀୟ ଚଳଚ୍ଚିତ୍ର ପୁରସ୍କାର, ଫିଲ୍ମଫେୟାର ପୁରସ୍କାର ଭଳି ଅନେକ ସମ୍ମାନ ଓ ପୁରସ୍କାର ମିଳିଛି । ଖାଲି ଏତିକି ନୁହେଁ ୨୦୧୧ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
ଇରଫାନ ଏକ ଓଡ଼ିଆ ଚଳଚ୍ଚିତ୍ର ‘ତାରା’ରେ ଅଭିନୟ ମଧ୍ୟ କରିଥିଲେ । ଏଥିପାଇଁ ସେ ଓଡ଼ିଶା ଆସି ସୁଟିଂ କରିଥିଲେ । ପାରିବାରିକ ଅସୁବିଧା ଯୋଗୁ ତାଙ୍କୁ ଏହି ଚଳଚ୍ଚିତ୍ର ଅଧାରୁ ଛାଡିବାକୁ ପଡିଥିଲା ଓ ସେହି ଚରିତ୍ରରେ ଅଜିତ ଦାସ ଅଭିନୟ କରିଥିଲେ ।
1988 ମସିହାରେ, ‘ସଲାମ ବମ୍ବେ’ ଚଳଚ୍ଚିତ୍ରରୁ ଇରଫାନ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ତାପରେ କିଛି ବର୍ଷର ସଂଘର୍ଷ ପରେ, ସେ ୨୦୦୧ରେ ବ୍ରିଟିଶ ଚଳଚ୍ଚିତ୍ର 'ଦ ୱାରିୟର', ୨୦୦୩ରେ 'ହାସିଲ', ୨୦୦୪ରେ 'ମକବୁଲ', ୨୦୦୬ରେ 'ନେମସେକ', ୨୦୦୭ରେ 'ଲାଇଫ ଇନ ଏ ମେଟ୍ରୋ', ୨୦୧୧ରେ 'ପାନ ସିଂ ତୋମର' , ୨୦୧୩ରେ 'ଲଞ୍ଚ ବକ୍ସ', ୨୦୧୫ରେ 'ପିକୁ' ଓ 'ତଲୱାର' ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ‘ପାନ ସିଂ ତୋମର’ ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।
ସେହିପରି ହଲିଉଡ ଚଳଚ୍ଚିତ୍ର 'ଦ ଆମେଜିଂ ସ୍ପାଇଡ଼ର ମ୍ୟାନ, 'ଲାଇଫ ଅଫ ପାଇ', 'ଜୁରାସିକ ୱାର୍ଲଡ଼', 'ଇନଫର୍ଣୋ, ସଲ୍ମଡଗ ମିଲିନୟାର, ନ୍ୟୁୟୋର୍କ, ହୈଦର, 'ଗୁଣ୍ଡେ' ଚଳଚ୍ଚିତ୍ର ଓ ଟେଲିଭିଜନ ଧାରାବାହିକ 'ଇନ ଟ୍ରିଟମେଣ୍ଟ' ଆଦିରେ ସେ ଅଭିନୟ କରିଥିଲେ ।
୨୦୧୭ର ଚଳଚ୍ଚିତ୍ର 'ହିନ୍ଦୀ ମିଡିୟମ' ତାଙ୍କର ସବୁଠାରୁ ଅଧିକ ବ୍ୟବସାୟିକ ସଫଳତା ହାସଲ କରିଥିବା ଚଳଚ୍ଚିତ୍ର ଥିଲା । ଏଥିପାଇଁ ସେ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ଏହାର ଦ୍ବିତୀୟ ଭାଗ ‘ଅଙ୍ଗ୍ରେଜୀ ମିଡିୟମ’ ୨୦୨୦ରେ ତାଙ୍କ ମୃତ୍ୟୁର କିଛି ଦିନ ଆଗରୁ ମୁକ୍ତିଲାଭ କରିଥିଲେ । ଯାହା ତାଙ୍କ ଜୀବନର ଶେଷ ଫିଲ୍ମ ଥିଲା ।
ପ୍ରକାଶ ଥାଉକି ସେ ନ୍ୟୁରୋଇଣ୍ଡୋକ୍ରାଇନ ଟ୍ୟୁମରରେ ପୀଡିତ ଥିଲେ | ଲଣ୍ଡନରେ ଚିକିତ୍ସିତ ହେବାପରେ ସେ ସୁସ୍ଥ ହୋଇ ସେ ଭାରତକୁ ଫେରିଥିଲେ । ହେଲେ ହଠାତ୍ 2020 ଏପ୍ରିଲ 29ରେ ସେ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ ।