ମୁମ୍ବାଇ: ଶନିବାର ଭୂତନାଥକୁ ପୂରିଛି 12 ବର୍ଷ । ଏହି ଅବସରରେ ବିଗ ବି ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏହାସହ ତାଙ୍କ ଫିଲ୍ମ ଅଗ୍ନିପଥ ସହ ଭୂତନାଥର ଏକ ଅଦ୍ଭୁତ ସଂଯୋଗ ଥିବା ସେ କହିଛନ୍ତି ।
ଫିଲ୍ମର ଏକ ଫଟୋ ସେୟାର କରି ସେ ଲେଖିଛନ୍ତି ଯେ ଭୂତନାଥକୁ 12 ବର୍ଷ ପୁରିଛି । ଏବେବି ପିଲା ଏହି ଭୂମିକାକୁ ମନେ ରଖିଛନ୍ତି । ପିଲାଙ୍କ ଭିତରେ ଏହା ଅତ୍ୟନ୍ତ ଲୋକପ୍ରିୟ ଥିଲା । ସେଥିପାଇଁ ଏବେ ବି ସମସ୍ତେ ତାଙ୍କୁ ଭୂତନାଥ ଅଙ୍କଲ ଡାକୁଛନ୍ତି ବୋଲି ସେ କହିଛନ୍ତି ।
ଅମିତାଭ ଆହୁରି ଲେଖିଛନ୍ତି ଯେ ତାଙ୍କ ଫିଲ୍ମ ଅଗ୍ନିପଥରେ ଏକ ସିନ ଥିଲା ଯେଉଁଥିରେ ସେ ଜେଲ ଭିତରେ ଜଣେ କଏଦୀଙ୍କୁ ଗୁଳି କରି ହତ୍ୟା କରିବାର ଥିଲା । ତେବେ ସେହି କଏଦୀ ନିଜ କାନ୍ଥରେ ଲେଖିଥିଲା ଭୂତନାଥ । ତେବେ 2ଟି ଫିଲ୍ମ ମଧ୍ୟରେ ଅନେକ ବର୍ଷର ତଫାତ ଥିଲେ ମଧ୍ୟ ଏହା ଏକ ଅଦ୍ଭୁତପୂର୍ବ ସଂଯୋଗ ବୋଲି ସେ ମଜାରେ କହିଛନ୍ତି । 2008ରେ ରିଲିଜ ଫିଲ୍ମ ଭୂତନାଥରେ ଅମିତାଭଙ୍କ ବ୍ୟତୀତ ଶାହରୁଖ, ଜୁହି ମଧ୍ୟ ଆକ୍ଟିଂ କରିଥିଲେ ।