ମୁମ୍ବାଇ: ‘କବୀର ସିଂ’ ଫେମ କିୟାରା ଆଡଭାନୀଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ସେ ନିକଟରେ ଶେଷ କରିନେଇଛନ୍ତି ନିଜ ଆଗାମୀ ଫିଲ୍ମ ‘ଇନ୍ଦୁ କି ଜାୱାନୀ’ର ସୁଟିଂ । ଏହାର ସୂଚନା ସେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ସେ ଇନଷ୍ଟାଷ୍ଟୋରିରେ ଫିଲ୍ମ ସୁଟିଂ ଶେଷ ଉପଲକ୍ଷେ ରଖାଯାଇଥିବା ପାର୍ଟିର ଅନେକ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ ଫିଲ୍ମର ପୁରା ଷ୍ଟାର-କାଷ୍ଟ ଏବଂ ୟୁନିଟ ସଦସ୍ୟଙ୍କ ସହ କେକ କାଟୁଥିବାର ଦେଖାଯାଉଛନ୍ତି ।
କମେଡି ଫିଲ୍ମ ‘ଇନ୍ଦୁ କି ଜୱାନୀ’ ଜରିଆରେ ବଙ୍ଗୀୟ ଲେଖକ, ନିର୍ମାତା ଅବୀର ସେନଗୁପ୍ତା ହିନ୍ଦୀ ଫିଲ୍ମ ଜଗତରେ ପଦାର୍ପଣ କରିବାକୁ ଯାଉଛନ୍ତି । ଫିଲ୍ମରେ କିୟାରାଙ୍କ ସହ ହ୍ୟାଣ୍ଡସମ ଆକ୍ଟର ଆଦିତ୍ୟ ସିଲ ରୋମାନ୍ସ କରୁଥିବାର ଦେଖାଯିବେ । ସେହିପରି ଫିଲ୍ମରେ କମେଡିର ତଡକା ଲଗାଇବେ ଫେମସ ଫିମେଲ କମେଡିଆନ ମଲ୍ଲିକା ଦୁଆ ।
ପ୍ରକାଶ ଥାଉକି ‘କବୀର ସିଂ’ ଫିଲ୍ମ ସଫଳତା ପରଠୁ କିୟାରାଙ୍କ ଭାଗ୍ୟ ବଦଳିଯାଇଛି । ଏହି ଫିଲ୍ମ ପରେ ତାଙ୍କୁ ଅନେକ ଫିଲ୍ମର ଅଫର ମିଳିବାରେ ଲାଗିଛି । ‘ଇନ୍ଦୁ କି ଜୱାନୀ’ ବ୍ୟତୀତ କିୟାରା ଏବେ ‘ଲକ୍ଷ୍ମୀ ବମ’ ଓ ‘ଭୁଲ ଭୁଲୈୟା 2’ର ସୁଟିଂରେ ବ୍ୟସ୍ତ । ଅନ୍ୟପଟେ ଡିସେମ୍ବର 27ରେ ତାଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଗୁଡନ୍ୟୁଜ’ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଅକ୍ଷୟ କୁମାର, କରୀନା କପୁର ଖାନ ଓ ଦିଲଜିତ ଦୋସାଞ୍ଜ ନଜର ଆସିବେ । ନିକଟରେ ରିଲିଜ ହୋଇଥିବା ଏହି ଫିଲ୍ମର ଟ୍ରେଲରକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ ।