ମୁମ୍ବାଇ: ବଲିଉଡ଼ ଷ୍ଟାର ବିକି କୌଶଲ ଓ କ୍ୟାଟ୍ରିନା କୈଫ ଗତ କିଛି ଦିନ ଧରି ବେଶ ଚର୍ଚ୍ଚାରେ ରହିଆସୁଛନ୍ତି । ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ ରୋକା ସେରିମନି ନେଇ କିଛି ଖବର ମିଳିଛି । ଏହି ୨ ଷ୍ଟାର ଦୀପାବଳି ଦିନ ରୋକା ସେରେମନି କରିଛନ୍ତି । ଫିଲ୍ମ ନିର୍ଦ୍ଦେଶକ କବୀର ଖାନଙ୍କ ଦିୱାଲି ପାର୍ଟିରେ ଏହି ୨ ଷ୍ଟାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ତେବେ ଏଠାରେ ଦୁହେଁ ରୋକା ସେରେମନି କରିଥିବା ମଧ୍ୟ ଖବର ମିଳିଛି ।
କିଛି ଗଣମାଧ୍ୟମର ରିପୋର୍ଟ ଅନୁସାରେ, କବୀର ଖାନଙ୍କ ଦିୱାଲି ପାର୍ଟିରେ ପରିବାରର ଗହଣରେ କ୍ୟାଟ୍ରିନା ଓ ବିକି ରୋକା କରିଛନ୍ତି । ଏହି ଉତ୍ସବଟି ଅତ୍ୟନ୍ତ ସୁନ୍ଦର ଥିଲା ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏହି ଫଙ୍କସନରେ କ୍ୟାଟ୍ରିନା ଲେହେଙ୍ଗାରେ ଆସିଛନ୍ତି ନଜର । ଦିୱାଲିର ଶୁଭ ମହୁରତରେ ୨ ପରିବାର ରୋକା ସେରିମନି କରିବେ ବୋଲି ନେଇଥିଲେ ନିଷ୍ପତ୍ତି । ତେବେ ସୂଚନା ଥାଉ କି କବୀର ଖାନ ଓ କ୍ୟାଟ୍ରିନାଙ୍କ ମଧ୍ୟରେ ଭାଇ-ଭଉଣୀର ସମ୍ପର୍କ । ଏଥିଲାଗି କବୀର ରୋକା ସେରେମନିର ଆୟୋଜନ କରିଥିଲେ ।
ରୋକା ସେରେମନି ନିର୍ବନ୍ଧ ଓ ବିବାହ ତାରିଖ ଧାର୍ଯ୍ୟ କରିବା ପାଇଁ ହୋଇଥାଏ । ଏହି ଉତ୍ସବରେ ବର ଓ କନ୍ୟା ପକ୍ଷର ପରିବାର ଓ ସମ୍ପର୍କୀୟ ପରସ୍ପର ସହିତ ଭେଟିଥାନ୍ତି । ଉଭୟଙ୍କ ମଧ୍ୟରେ ବିବାହ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଏ । ଭାରତୀୟ ପରମ୍ପରାରେ ନିର୍ବନ୍ଧ ପୂର୍ବରୁ ହୋଇଥାଏ ଏହି ରୋକା ସେରେମନି ।
ସେପଟେ ଉଭୟ ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଉଭୟ ପ୍ରଥମେ ଏକ ଡେଷ୍ଟିନେସନ ୱେଡିଙ୍ଗର ଯୋଜନା କରିଥିଲେ । କିନ୍ତୁ ବ୍ୟସ୍ତତା ଯୋଗୁଁ ୱେଡିଙ୍ଗ ଦେଶ ମଧ୍ୟରେ କରାଯିବ । ଉଭୟଙ୍କ କ୍ୟାରିଅର ସମ୍ପର୍କରେ ଆଲୋଚନା କଲେ ଗତ କିଛି ଦିନ ତଳେ ବିକିଙ୍କ 'ସର୍ଦ୍ଦାର ଉଦ୍ଧମ' ଚଳଚ୍ଚିତ୍ର ରିଲିଜ ହୋଇଥିବା ବେଳେ କ୍ୟାଟ୍ରିନାଙ୍କ 'ସୂର୍ଯ୍ୟବଂଶୀ' ଫିଲ୍ମ ରିଲିଜ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ