ମୁମ୍ବାଇ: ଛୋଟ ପରଦାର ପପୁଲାର କମେଡି ଶୋ ‘ଦ କପିଲ ଶର୍ମା’ ଶୋକୁ 2019ରେ ମିଶ୍ରିତ ପ୍ରିତିକ୍ରିୟା ମିଳିଥିଲା । ଟିଆରପି ମାମଲାରେ ଶୋକୁ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ଭିନ୍ନ ଭିନ୍ନ କାରଣକୁ ନେଇ ବିବାଦରେ ମଧ୍ୟ ଫସି ସାରିଛି ଏହି ଶୋ। ବର୍ଷ ଶେଷ ହେବାକୁ ଆଉ କିଛି ସମୟ ବାକି ଥିବା ମଧ୍ୟରେ ଶୋ ଏକ ନକାରତ୍ମକ କାରଣ ପାଇଁ ପୁଣି ଚର୍ଚ୍ଚାରେ ଆସିଛି ।
କଥାଟି ହେଲା କି ଫେମସ କମେଡିଆନ ଭାରତୀ ସିଂଙ୍କ ଉପରେ ଧାର୍ମିକ ଭାବନାକୁ ଆହତ କରିବା ଅଭିଯୋଗ ରୁଜୁ ହୋଇଛି । ଯାହାପରଠୁ ଭାରତୀଙ୍କୁ ‘ଦ କପିଲ ଶର୍ମା ଶୋ’ରୁ ବାହାର କରିବାର ଦାବି ଜୋର ଧରିଛି । ଭାରତୀଙ୍କ ବ୍ୟତୀତ ଅଭିନେତ୍ରୀ ରବୀନା ଟଣ୍ଡନ ଓ କୋରିଓଗ୍ରାଫର ଫରାହ ଖାନ ମଧ୍ୟ ବିବାଦ ଘେରରେ ଆସିଯାଇଛନ୍ତି । ଏହି ଦୁଇଜଣଙ୍କ ଉପରେ ପଞ୍ଜାବ ପୋଲିସ ଖ୍ରୀଷ୍ଟମାସର ପୂର୍ବ ସଂନ୍ଧ୍ୟାରେ ପ୍ରସାରିତ ହୋଇଥିବା ଶୋରେ ଏକ ସମୁଦାୟର ଭାବନାକୁ ଆହତ କରିବାର ଅଭିଯୋଗ ରୁଜୁ କରିଛି ।
ଅଭିଯୋଗ ରୁଜୁ ହେବା ପରେ ସୋସିଆଲ ମିଡିଆରେ ଭାରତୀଙ୍କୁ ଶୋରୁ ବାହାର କରିବାର ଏକ ପିଟିସନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଯାବତ ଏହି ପିଟିସନ ଉପରେ 7 ହଜାର ଲୋକ ସାଇନ କରିସାରିଲେଣି । ବିବାଦକୁ ବଢୁଥିବାର ଦେଖି ଫରାହ ଗତ ଶୁକ୍ରବାର ଏକ ଟ୍ବିଟ କରିଥିଲେ । ଆଉ ଯେଉଁଥିରେ ଲେଖିଥିଲେ ସେ ସବୁ ଧର୍ମର ସମ୍ମାନ କରୁନ୍ତି । କୌଣସି ଧର୍ମର ଅପମାନ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ରବୀନା ଟଣ୍ଡନ, ଭାରତୀ ସିଂ ଓ ପୁରା ଟିମ ତରଫରୁ ଆମେ ସମସ୍ତଙ୍କୁ କ୍ଷମା ମାଗୁଛୁ ।
ସେପଟେ ରବୀନା ମଧ୍ୟ ଟ୍ବିଟ କରି ଲେଖିଥିଲେ, ‘ମୁଁ ଏମିତି କିଛି ଶବ୍ଦ କହିନାହିଁ । ଯାହାଦ୍ବାରା କୌଣସି ଧର୍ମର ଅପମାନ ହେବ । ଆମେ ତିନି ଜଣଙ୍କର କୌଣସି ଧର୍ମର ଅପମାନ କରିବା କିଛି ଉଦ୍ଦେଶ୍ୟ ନଥିଲା । ଯଦି ଏହାଦ୍ବାରା କାହାରି ଭାବନାକୁ ଆହତ ଲାଗିଛି ତେବେ କ୍ଷମା ମାଗୁଛୁ ।’