ମୁମ୍ବାଇ : ବଲିଉଡ କୁଇନ କଙ୍ଗନା ରାଣାୱତଙ୍କ ବିରୋଧରେ ଗୀତିକାର ଜାଭେଦ ଅଖତରଙ୍କ ମାନହାନୀ ମକଦ୍ଦମା ଘଟଣା । ଏନେଇ ମୁମ୍ବାଇର ଏକ କୋର୍ଟରେ ଜାଭେଦ ଅଖତର ସୋମବାର ହାଜର ହୋଇଥିବା ବେଳେ ଅନୁପସ୍ଥିତ ରହିଥିଲେ କଙ୍ଗନା । ଗତ ସପ୍ତାହରେ କୋର୍ଟ କହିଥିଲେ ଯେ, ଯଦି ସେ ସେପ୍ଟେମ୍ବର 20ରେ ଅର୍ଥାତ ଆଜିର ଶୁଣାଣିରେ ହାଜର ନ ହୁଅନ୍ତି । ତେବେ ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯିବ।
ଚଳିତ ବର୍ଷ ଫେବୃଆରୀରେ ତାଙ୍କୁ ସମନ ଜାରି କରାଯିବା ପରେ କଙ୍ଗନା ପ୍ରଥମ ଥର ପାଇଁ ମହାନଗର ନିଗମର କୋର୍ଟରେ ହାଜର ହୋଇଥିଲେ। ଏହା ପୂର୍ବରୁ ବମ୍ବେ ହାଇକୋର୍ଟ ଅଖତରଙ୍କ ଦ୍ୱାରା ଦାଖଲ ହୋଇଥିବା ଅପରାଧିକ ମାନହାନି ମକଦ୍ଦମା ଉପରେ ସ୍ଥାନୀୟ କୋର୍ଟଙ୍କ ଦ୍ବାରା ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ରଦ୍ଦ କରିବାକୁ ଚାହୁଁଥିବା ଏକ ଆବେଦନକୁ ଖାରଜ କରି ଦେଇଥିଲେ।
ଗୀତିକାର ଜାଭେଦ ଅଖତର ଗତବର୍ଷ ନଭେମ୍ବରରେ କଙ୍ଗନାଙ୍କ ବିରୋଧରେ ମାନହାନୀ ମକଦ୍ଦମା ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଜାଭେଦଙ୍କ ଅଭିଯୋଗ ଥିଲା ଯେ, କଙ୍ଗନା ଟେଲିଭିଜନ ସାକ୍ଷାତକାରରେ ତାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ଯାହା ତାଙ୍କ ମାନହାନୀ କରୁଛି । ଏନେଇ ସେ କଙ୍ଗନାଙ୍କ ବିରୋଧରେ କୋର୍ଟକୁ ଯାଇଥିଲେ । କେବଳ ସେତିକି ନୁହେଁ, ଗତ ବର୍ଷ ଜୁନ ମାସରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ । ପରେ ଏନେଇ କଙ୍ଗନା ଅନେକ ଟିଭି ସାକ୍ଷାତକାରରେ ତାଙ୍କର ସେହି ଘଟଣାରେ ସମ୍ପୃକ୍ତି ଥିବା ନେଇ ବୟାନ ମଧ୍ୟ ଦେଇଛନ୍ତି । ଯାହା ତାଙ୍କୁ ଅଧିକ ବିବାଦୀୟ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ