ହାଇଦ୍ରାବାଦ: ସୃଷ୍ଟିକର୍ତ୍ତାଙ୍କ ସର୍ବଶ୍ରେଷ୍ଠ ରଚନା ‘ନାରୀ’। ନାରୀକୁ ସ୍ବୟଂ ସୃଷ୍ଟିକର୍ତ୍ତା ଏମିତି ପ୍ରସ୍ତୁତ କରିଛନ୍ତି, ଯେଉଁ ଦକ୍ଷତା ଦ୍ବାରା ସେ ସବୁ ପରିସ୍ଥିତି ସହ ଖାପଖୁଆଇ ଚାଲିବା ସହ ନିଜ ସ୍ବପ୍ନ ମଧ୍ୟ ପୂରଣ କରିପାରେ। ଯାହାର ଜ୍ବଳନ୍ତ ଉଦାହରଣ ହେଲେ ବଲିଉଡର କୁଇନ ଓରଫ କଙ୍ଗନା ରଣାୱତ ।
ପଦ୍ମଶ୍ରୀ ସମ୍ମାନିତ କଙ୍ଗନାଙ୍କ ଫିଲ୍ମର ଦିୱାନା ତ ସମସ୍ତେ । ହେଲେ ତାଙ୍କ ବ୍ୟକ୍ତିତ୍ବ ମଧ୍ୟ ଅନେକଙ୍କ ପାଇଁ ପ୍ରେରଣାଦାୟକ। ତାଙ୍କ ଜୀବନର କାହାଣୀ କଣ୍ଟ୍ରୋଭର୍ସି, ପରିଶ୍ରମ ଓ ସଫଳତାକୁ ନେଇ ଗଢା । ଜଣେ ଆଉଟସାଇଡରରୁ ବଲିଉଡ କୁଇନର ଉପାଧୀ ହାସଲ କରିଥିବା କଙ୍ଗନା ଆଜି ସେ ସମ୍ମାନର ଅଧିକାରୀ, ଯାହା କୌଣସି ଷ୍ଟାର କିଡ୍ସ ବା ବଲିଉଡର ଲୋକପ୍ରିୟ ଅଭିନେତାଙ୍କ ପାଖରେ ନାହିଁ । ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ କଙ୍ଗନାଙ୍କୁ ସଲାମ, ଯିଏ ନିଜ ଫିଲ୍ମ ଜରିଆରେ ଦର୍ଶକଙ୍କ ମନ ଜିତିବା ସହ ଅନେକଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି । ହିମାଚଳ ପ୍ରଦେଶର ଛୋଟ ସହରରେ ଜନ୍ମିତ କଙ୍ଗନା ପିଲାବେଳୁ ସ୍ବାଧୀନ ଚିନ୍ତାଧାରୀ । ପ୍ରତିକୂଳ ପରିସ୍ଥିତିରେ ତାଙ୍କର ଲାଳନପାଳନ ହୋଇଥିଲେ ବି ମାତ୍ର 16 ବର୍ଷ ବୟସରେ କଙ୍ଗନା ଜୀବନକୁ ନିଜ ହିସାବରେ ବଞ୍ଚିବା ପାଇଁ ଦିଲ୍ଲୀ ମୁହାଁ ହୋଇଥିଲେ। ପ୍ରଥମ ମଡେଲିଂ ପରେ ସେ ପହଞ୍ଚିଥିଲେ ମାୟାନଗରୀ ମୁମ୍ବାଇରେ।
ଅନେକ ବାଧାବିଘ୍ନ ପରେ କଙ୍ଗନାଙ୍କ ହାତରେ ଲାଗିଥିଲା ଅନୁରାଗ ବାସୁଙ୍କ ଥ୍ରିଲର ଫିଲ୍ମ ‘ଗ୍ୟାଙ୍ଗଷ୍ଟାର’। ଫିଲ୍ମଟି ହିଟ ହେବା ସହ କଙ୍ଗନାଙ୍କୁ ବି ବେଶ ପସନ୍ଦ କରିଥିଲେ ଦର୍ଶକ । ଆଉ ତାପରେ ସେ କେବେହେଲେ ପଛକୁ ଫେରି ଚାହିଁନାହାଁନ୍ତି । ଦେଇଚାଲିଲେ ଅନେକ ହିଟ । କିନ୍ତୁ ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘ଫ୍ୟାଶନ’ ଆଣିଥିଲା କଙ୍ଗନାଙ୍କ କ୍ୟାରିୟରରେ ନୂଆ ମୋଡ। ଫିଲ୍ମର ଲିଡିଂ ଲେଡି ପ୍ରିୟଙ୍କାଙ୍କଠୁ ବି ଅଧିକ ପ୍ରଶଂସା ପାଇଥିଲେ କଙ୍ଗନା । ବର୍ଷ 2013 ମଧ୍ୟ କଙ୍ଗନାଙ୍କ କ୍ୟାରିୟରର ଶ୍ରେଷ୍ଠ ମୁହୂର୍ତ୍ତ ଥିଲା । ଯେଉଁଠି ତାଙ୍କୁ ମିଳିଥିଲା ବିକାଶ ବହଲଙ୍କ ହିଟ୍ ଫିଲ୍ମ ‘କୁଇନ’। ଯାହା କଙ୍ଗନାଙ୍କୁ ପିନ୍ଧାଇଥିଲା ‘କୁଇନ’ର ତାଜ, ଆଉ 100କୋଟି ମଚେଇଥିଲା ବକ୍ସଅଫିସରେ ହଙ୍ଗାମା ।କେବଳ ଅଭିନୟ ନୁହେଁ ସେ ନିର୍ଦ୍ଦେଶନାରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ଗତ ବର୍ଷ ଆସିଥିବା ଐତିହାସିକ ଫିଲ୍ମ ‘ମଣିକର୍ଣ୍ଣିକା: ଦ କୁଇନ ଅଫ ଝାନ୍ସୀ’ ବକ୍ସ ଅଫିସରେ 150 କୋଟି କଲେକ୍ସନ କରିବାରେ ସଫଳ ହୋଇଥିଲା।
ହେଲେ ଅଭିନେତ୍ରୀଙ୍କ ରିଲ ଲାଇଫ ଯେତେ ସୁନ୍ଦର ଓ ଗ୍ଲାମରସ ଲାଗୁଛି, ରିୟଲ ଲାଇଫରେ ସେତିକି ନୁହେଁ । ଏହି ସଫଳତା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସେ ଜୀବନ ସାରା ଅନେକ ବିବାଦ ଏବଂ ସମସ୍ୟାର ସାମ୍ନା କରିଛନ୍ତି। ଆଦିତ୍ୟ ପଞ୍ଚୋଲୀଙ୍କ ସହ ରିଲେସନଶିପ ହେଉ କିମ୍ବା ହ୍ରିତିକ ରୋଶନଙ୍କ ସହ ଲଭ ଅଫେୟାର ସମସ୍ୟା । କରନ ଜୋହରଙ୍କ ସହ ପରିବାରବାଦ ଲଢେଇ ହେଉ କି ମିଡିଆ ସହ ଯୁକ୍ତିତର୍କ। ଏସବୁ ସତ୍ତ୍ବେ କଙ୍ଗନା ନିଜ ପରିଶ୍ରମ ଏବଂ ସଂଘର୍ଷରେ ଆଜି ବଲିଉଡର ଏକମାତ୍ର ‘କୁଇନ’।
ଇଟିଭି ଭାରତ ସିତାରା ରିପୋର୍ଟ