ମୁମ୍ବାଇ: ଭାରତୀୟ ହକି କିମ୍ବଦନ୍ତୀ ଖେଳାଳି ବଲବୀର ସିଂ ସୋମବାର ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଗତ କିଛି ଦିନ ହେବ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହକି ଅଲିମ୍ପିଆନ ବଲବୀର ସିଂ ଅନେକ ଥର ଭାରତକୁ ଗର୍ବିତ କରାଇଥିଲେ । ତାଙ୍କ ନାମ ଅନେକ ଐତିହାସିକ ହକି ମ୍ୟାଚରେ ମଧ୍ୟ ଲିଖିତ । ତାଙ୍କ ନିଧନରେ ବି-ଟାଉନ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛି ।
ଅକ୍ଷୟ କୁମାରଙ୍କ ପରେ ମହାନାୟକ ଅମିତାଭ ବଚ୍ଚନ ଟ୍ବିଟରରେ ବଲବୀରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ତାଙ୍କ ସ୍କୁଲ ଦିନଗୁଡ଼ିକୁ ମଧ୍ୟ ମନେ ପକାଇଛନ୍ତି । ତାଙ୍କର ଏକ ପୁରୁଣା ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଭେଟେରାନ ବଲବୀର ସିଂଙ୍କ ଦେହାନ୍ତ ହୋଇଛି । 1948 ପରଠାରୁ ମୋ ସ୍କୁଲ ଦିନରେ ତାଙ୍କର ପ୍ରତିଭା ଏବଂ ହକି କ୍ଷେତ୍ରରେ ତାଙ୍କର ସଫଳତା ଏକ ବଡ଼ କଥା ଥିଲା । ଜଣେ ଶାନଦାର ଚାମ୍ପିଆନ ଏବଂ ଭାରତର ଗର୍ବ।’
ସେପଟେ ଅଭିନେତ୍ରୀ ତଥା ରାଜନେତ୍ରୀ କିରନ ଖେର ମଧ୍ୟ ତାଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ଭାରତୀୟ ହକି କିମ୍ବଦନ୍ତୀ ପଦ୍ମଶ୍ରୀ ବଲବୀର ସିଂଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ । ତୁମେ କେବଳ ହକି ନୁହେଁ, କ୍ରୀଡା ଜଗତରେ ଭାରତର ଉଜ୍ଜ୍ବଳ ତାରକା । ତୁମର ସ୍ମୃତି ସବୁ ଭାରତୀୟଙ୍କ ହୃଦୟରେ ସର୍ବଦା ଅମର ରହିବ । ୱାହେଗୁରୁ ତୁମ ପରିବାରକୁ ଧୌର୍ଯ୍ୟ ଏବଂ ଶକ୍ତି ପ୍ରଦାନ କରନ୍ତୁ।’
ପ୍ରକାଶ ଥାଉକି ପଦ୍ମଶ୍ରୀ ପୁରସ୍କାର ପାଇଥିବା ବଲବୀର ସିଂ ହେଉଛନ୍ତି ଭାରତର ଏକମାତ୍ର ଖେଳାଳି ଯିଏକି ତିନିଥର ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଦଳର ସଦସ୍ୟ ଥିଲେ ।