ପାଟନା: ସୁପରଷ୍ଟାର ହ୍ରିତିକ ରୋଶନଙ୍କ ବହୁ ଚର୍ଚ୍ଚିତ 'ସୁପର-30' ଗତ ଶୁକ୍ରବାର ରିଲିଜ ହୋଇଯାଇଛି । ଫିଲ୍ମଟି ଦର୍ଶକଙ୍କଠୁ ନେଇ କ୍ରିଟିକ୍ସଙ୍କ ମଧ୍ୟ ହୃଦୟ ଜିତିବାରେ ସଫଳ ହୋଇଛି । ବିହାର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ହ୍ରିତିକ । ଜବରଦସ୍ତ କଲେକ୍ସନ କରିବାରେ ବର୍ତ୍ତମାନ ଲାଗିପଡିଛି 'ସୁପର-30' । ଇତିମଧ୍ୟରେ ଫିଲ୍ମକୁ ନେଇ ଶୁଣିବାକୁ ମିଳୁଛି ବଡ ଖବର । ଯାହା ଫ୍ୟାନ୍ସ, ମେକର୍ସ, ଷ୍ଟାର-କାଷ୍ଟକୁ ଖୁସି ଦେଇଛି ।
କଥାଟି ହେଲା କି ଏହି ଫିଲ୍ମ ଉପରୁ ବିହାରର ରାଜ୍ୟ ସରକାର କର ଛାଡ଼ କରିଛନ୍ତି । ମଙ୍ଗଳବାର ତଥା ଆଜି ଠାରୁ ବିହାରବାସୀ କର ମୁକ୍ତ ଟିକେଟ କିଣି ଫିଲ୍ମର ମଜା ଉଠାଇ ପାରିବେ ।
ଫିଲ୍ମରେ ଦେଖିବାକୁ ମିଳିଛି ଯେ ଆନନ୍ଦ କିପରି ନିଜର ଗୋଟିଏ କୋଚିଂ ସେଣ୍ଟର ଖୋଲି ଗରିବ ପିଲାଙ୍କୁ ପାଠ ପଢାଉଛନ୍ତି । ଆଉ ସେହି ପିଲା ନିଜ ଦକ୍ଷତା ବଳରେ ଆଇଆଇଟି ପରୀକ୍ଷାରେ ପ୍ରବେଶ କରିବାରେ ସୁଯୋଗ ପାଇଁଛନ୍ତି । ଆନନ୍ଦଙ୍କ ଅବତାରରେ ହ୍ରିତିକ ମଧ୍ୟ ଶାନଦାର ଅଭିନୟ କରିଛନ୍ତି ଆଉ ତାଙ୍କ ଭୋଜପୁରୀ କହିବା ଷ୍ଟାଇଲ ଦର୍ଶକଙ୍କ ମନ କିଣିଛି ।
'ସୁପର-30'ର ନିର୍ଦ୍ଦେଶନା ଦାୟିତ୍ବ ବିକାଶ ବହଲ ତୁଲାଇଥିବା ବେଳେ ଏହାର ପ୍ରଯୋଜନା ରିଲିଆନ୍ସ ଏଣ୍ଟରଟେନମେଣ୍ଟ ଏବଂ ଫାଣ୍ଟମ ଫିଲ୍ମସ କରିଛି । ଫିଲ୍ମରେ ହ୍ରିତିକଙ୍କ ସହ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି ଛୋଟ ପରଦାର ପପୁଲାର ଅଭିନେତ୍ରୀ ମୃଣାଳ ଠାକୁର । ଏହାସହ ଅମିତ ଶାଦ, ନନ୍ଦୀଶ ସିନ୍ଧୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
ଓପନିଂ ଡେରେ ଫିଲ୍ମଟିକୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିବା ବେଳେ 50 କୋଟି ଆୟ କରିବାରେ ସଫଳ ହୋଇଥିଲା । ଗତ ରବିବାର ବିଶ୍ବକପ ମ୍ୟାଚ ହେବା ସତ୍ତ୍ବେ ଫିଲ୍ମଟି ଜବରଦସ୍ତ କଲେକ୍ସନ କରିବାରେ ସକ୍ଷମ ହୋଇପାରିଥିଲା ।