ହାଇଦ୍ରାବାଦ: 80 ଦଶକରେ ଯେତେବେଳେ ହିରୋ ହିରୋଇନଙ୍କୁ ନେଇ ଫିଲ୍ମ ହେଉଥିଲା ସେତେବେଳେ ଭିଲିଏନ କେବଳ ମାଡର ହିଁ ଭାଗିଦାରୀ ହେଉଥିଲା । ମାତ୍ର ବଲିଉଡରେ ଖଳନାୟକଙ୍କ ଚରିତ୍ରରେ ପରିବର୍ତ୍ତନ ଆଣିଥିଲେ ଜଣେ ଲିଜେଣ୍ଡାରୀ କଳାକାର ଅମରିଶ ପୂରୀ ।
1932ରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିବା ଅମରିଶ ପ୍ରାୟ 400ରୁ ଊର୍ଦ୍ଧ୍ବ ଫିଲ୍ମରେ କାମ କରିଛନ୍ତି । 90ଦଶକର ମୋଷ୍ଟ ମେମୋରେବଲ ଖଳନାୟକ ଥିଲେ ଅମରିଶ । ଅମରିଶଙ୍କ ଆଇକୋନିକ ମୁଗାମ୍ବୋ ଚରିତ୍ର ସମସ୍ତଙ୍କ ମନରେ ଛାପ ଛାଡିଯାଇଛି । 1987 ମସିହାରେ ରିଲିଜ ହୋଇଥିବା ମିଷ୍ଟର ଇଣ୍ଡିଆର ତାଙ୍କ ଡାଏଲୋଗ ‘ମୁଗାମ୍ବୋ ଖୁସ୍ ହୁଆ’ ଆଜି ବି ସମସ୍ତଙ୍କ ମନରେ ସେତିକି ତାଜା ହୋଇରହିଛି ।
ପ୍ରକାଶଥାଉକି, ଅମରିଶ ଥିଏଟରରେ କାମ କରିବା ସହ ଭଏସ ଓଭର ମଧ୍ୟ ଦିଅନ୍ତି । ବଲିଉଡରେ ଅମରିଶ 1971ରେ ‘ରେଶମା ଅର ଶେରା’ ଫିଲ୍ମରେ ଡେବ୍ୟୁ କରିଥିଲେ । ଗାନ୍ଧୀ ଫିଲ୍ମରେ ଅମରିଶଙ୍କୁ ସପୋର୍ଟିଂ ରୋଲ ପାଇଁ ଓସ୍କାର ମଧ୍ୟ ମିଳିଥିଲା । ‘ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ’ରେ ଚୌଧୁରୀ ବଲଦେବ ସିଂହ, ‘କରନ ଅର୍ଜୁନ’ରେ ଠାକୁର ଦୁର୍ଜନ ସିଂହ, ‘ଗଦାର ଏକ ପ୍ରେମ କଥା’ର ମେୟର ଅଶରଫ ଅଲ୍ଲୀ, ‘ନାୟକ’ର ମୁଖ୍ୟମନ୍ତ୍ରୀ ବଲରାଜ ଚୌହାନର ଚରିତ୍ର ସବୁଦିନ ପାଇଁ ଦର୍ଶକଙ୍କ ମନରେ ରହିଯାଇଛି ।
ପ୍ରାୟ 8ଟି ଭାଷା ତାମିଲ, ତେଲୁଗୁ, ହିନ୍ଦି, ଇଂରାଜୀ, ମାଲୟଲାମ, ପଞ୍ଜାବୀ, କନ୍ନଡ, ମରାଠୀରେ କାମ କରିଥିବା ଅମରିଶ 12 ଜାନୁଆରୀ 2005ରେ ସେରେବ୍ରାଲ ହାମରେଜ କାରଣରୁ 72 ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ । ଆଜି(22 ଜୁନ) ତାଙ୍କ ଜନ୍ମଦିନରେ ବଲିଉଡ ତାଙ୍କ କାଳଜୟୀ ଅଭିନୟକୁ ମନେ ପକାଉଛି ।